Unknown

 

 

 

 

 

 

 

 

 

 

 

ପାଷାଣ ଚରଣେ ରକ୍ତ

ଅଧ୍ୟାପକ ଶ୍ରୀ କୁଞ୍ଜବିହାରୀ ଦାଶ

 

 

 

 

 

 

 

 

 

 

 

 

ରିକ୍ତ କବିର ସିକ୍ତ ହୃଦୟ-ସର ଯା କରୁଣା ଜଳେ

‘‘ପାଷାଣ ଚରଣେ ରକ୍ତ-କମଳ ଅର୍ପେ କୋମଳ କରେ ।’’

 

କୃତଜ୍ଞତା

 

ଉଦାର ହୃଦୟ ବଡ଼ଖେମିଡ଼ି ରାଜାସାହେବ ଶ୍ରୀ ରାମଚନ୍ଦ୍ର ଅନଙ୍ଗ ଭୀମଦେବ କେଶରୀ ଗଜପତିଙ୍କ ଆନୁକୂଲ୍ୟରୁ ଅର୍ଦ୍ଧକୀଟ ଭୁକ୍ତ ଏହି କାବ୍ୟ ଖଣ୍ଡି ଆଜି ଆଲୋକ ଦେଖିଲା । ରାଜାସାହେବଙ୍କ ସାହିତ୍ୟାନୁରାଗ ଅସାଧାରଣ; ସେ ଗୁଣଜ୍ଞ, ଗ୍ରାହକ ଏବଂ ରସିକ । ବର୍ତ୍ତମାନ କାଗଜ ଦୁର୍ଭିକ୍ଷ, ବ୍ଳକ୍‌ ଦୁର୍ମୂଲ୍ୟ, ଛପାଖର୍ଚ୍ଚ ଅତ୍ୟଧିକ । କିନ୍ତୁ ପ୍ରକୃତ ରସିକତା ଅର୍ଥଲୋଭର ବହୁ ଉଚ୍ଚରେ । ରାଜାସାହେବ ବ୍ୟୟ ପ୍ରତି ତିଳେ ମାତ୍ର ଭ୍ରୂକ୍ଷେପ ନ କରି ଏହି ଗ୍ରନ୍ଥ ପ୍ରକାଶର ଭାର ସ୍ୱତଃପ୍ରବୃତ୍ତ ହୋଇ ଗ୍ରହଣ କରିଥିବାରୁ ଅନ୍ତରର ଗଭୀରତମ ପ୍ରଦେଶରୁ କୃତଜ୍ଞତା ଜଣାଇବା ସଙ୍ଗେ ସଙ୍ଗେ ଅଶେଷ ଧନ୍ୟବାଦ ଅର୍ପଣ କରୁଅଛି ।

 

ଛାତ୍ର ଜୀବନରେ ଲିଖିତ ଏହି କାବ୍ୟର କଙ୍କାଳ ଶ୍ରୀଯୁକ୍ତ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କୁ ଶୁଣାଇବାର ସୁଯୋଗ ଘଟିଥିଲା । ସେ ଉତ୍ସାହ ଦେବାରୁ ଏହାକୁ ପରିବର୍ତ୍ତିତ ଓ ପରିବର୍ଦ୍ଧିତ କରିଥିଲି । ଶ୍ରୀଯୁକ୍ତ ରାଧାମୋହନ ଗଡ଼ନାୟକ ଏହାର ନାମ ଦେଇଅଛନ୍ତି । ଶ୍ରୀଯୁକ୍ତ ଅନନ୍ତ ପ୍ରସାଦ ପଣ୍ଡା ଏହି କାବ୍ୟରେ କେତେକ ଉନ୍ନତ ଧରଣର ପରିବର୍ତ୍ତନ କରିବା ନିମିତ୍ତ ସୂଚନା ଦେଇଅଛନ୍ତି । ‘‘ଉତ୍କଳ ବାହିନୀ’’ର ସଭାପତି ଶ୍ରୀଯୁକ୍ତ ବଳରାମ ନନ୍ଦ ପ୍ରୁଫ୍‌ ସଂଶୋଧନରେ ସାହାଯ୍ୟ କରିଛନ୍ତି । ଉକ୍ତ ସାହିତ୍ୟିକମାନଙ୍କ ନିକଟରେ ମୁଁ ଚିର ଋଣୀ ।

 

ବିନୀତ

ଲେଖକ

 

ଉତ୍କଳର କାବ୍ୟ କୁଞ୍ଜବିହାରୀ ରସିକ

ପାଷାଣ ଚରଣେ ଦେଖି ରକତ କଣିକା

ଯୁଗଶିଳ୍ପୀ କରେ ଦେଲ ଅମର ତୁଳିକା

ଆଙ୍କିଲ ଅମର ଛବି ଭୂତ ଭବିଷ୍ୟତ

ଜନ୍ମଭୂମି ଜନନୀର ଶଉର୍ଯ୍ୟ ଗରିମା;

ହୃଦୟର ଭାବ ତବ ହୋଇ ଘନୀଭୂତ

ଧରିଛି ଯେ କାବ୍ୟରୂପ ସେ ରୂପ ନିହାରି

ଅନ୍ତରେ ଉଠଇ ମୋର ଯେଉଁ ଭାବ ରାଜି

ସେଇ ଭାବ ଦେଇ ଆଜି କରେଁ ଶୁଭାଶୀଷ

ଯୁଗେ ଯୁଗେ ହେଉ ତବ ଲେଖନୀ ଅମର ।

 

ବ୍ରହ୍ମପୁର

ଶୁଭାକାଙ୍କ୍ଷୀ

୭ । ୧୧ । ୪୪

ଅନନ୍ତ ପ୍ରସାଦ ପଣ୍ଡା

Image

 

ପ୍ରଥମ ସର୍ଗ

 

ଯୁଗଶିଳ୍ପୀ—ପାଷାଣ ଚରଣେ ରକ୍ତ ! ବାଳ ରବିକର !

ପହିଲି ଲୋହିତ ରେଖା ଅତି ମନୋହର

ଲାଗିଛି କି ସ୍ନେହଭରେ ଉଦୟାସ୍ତ ପରେ

ପଦେ ତବ ? ଅବା ଛିନ୍ନ ରକ୍ତ-ଯବା ଦଳେ

ପଲ୍ଲୀର ପୂଜାରୀ କିଏ କେଉଁ ବର ଆଶେ

ପୂଜିଚି କି ଦେବୀ ଭାବି ? ମହିମା ପ୍ରକାଶେ

ଭକତର ହେ ପ୍ରତିମା, ଭକ୍ତି ଉପହାର

ବହିଛୁ କି ଯୁଗ ଧରି ? କେଉଁ ଲଳନାର

ସୀମନ୍ତ ସିନ୍ଦୂର ଅବା ଓଳଗିରେ ଲାଗି

ମଞ୍ଜୁଳ ଅଳତା ସମ ଦିଶେ; ସେ ଶୋଭାଙ୍ଗୀ-

ନିକଷିତ ବିଦ୍ୟୁଲେଖା ପୁଞ୍ଜିତ ଲାବଣ୍ୟ

କାଳସ୍ରୋତ ଦରପଣେ ଇନ୍ଦ୍ରଜାଲ ସମ

ଲୁଚିଲାଣି କାହିଁ; ସ୍ମୃତି ରାଜେ କି ଚରଣେ

ଅଦ୍ୟାପି ଉଦାର ଗୁଣେ ହିଙ୍ଗୁଳ ବରଣେ

କାଳଦୈତ୍ୟ ଦନ୍ତ ଭାଙ୍ଗି ? ଏ ଯେ ଅସମ୍ଭବ !

ଜଡ଼ ପ୍ରତିମାରେ ପୁଣି ଜୀବନ୍ତ ବିଭବ !

କି ଆଶ୍ଚର୍ଯ୍ୟ ଜଡ଼ ମୂର୍ତ୍ତି ଜୀବନ୍ତ ଦିଶଇ !

ପଦ୍ମପଲାଶ ଲୋଚନ ଧୀରେ ବିକଶଇ,

କଳିଙ୍ଗ ଗତ ଗୌରବ ପର୍ଦ୍ଦା ଖୋଲେ ଅବା

ଯାଦୁକର ! ଫୁଟିପଡ଼େ ଜୋଛନାର ପ୍ରଭା

ହାସେ ହାସେ ସଜ ଫୁଟା ଗୋଲାପ ଅଧରେ

ଆଲୋକିତ ଦରୀ ଶଶୀମୁଖ ଆଲୋକରେ

ଶିଉଳିର ଯାଦୁ ଲତାଗୁଳ୍ମର ଶୃଙ୍ଖଳ

ଖସିପଡ଼େ, ଖେଳେ ଅଙ୍ଗେ ରକ୍ତ ଜୀବନ୍ତର ।

ଶୁଭଇ ନିଃଶ୍ୱାସ ଶବ୍ଦ ବାଜଇ ପବନ

ମୁଖେ ମୋର ! କି କୁହୁକେ ଲଭିଲା ଜୀବନ

ଏ ପାଷାଣ ! ପ୍ରେତାତ୍ମା ବା କେଉଁ ମାନବର

ଅମୁକ୍ତ ଏ ମୂର୍ତ୍ତି-ସୌଧେ କରିଅଛି ଘର !

କଳିଙ୍ଗର କଳା ପ୍ରତି ନିରୂପଣ ସ୍ନେହେ

କେଉଁ ପକ୍ଷ ଗନ୍ଧର୍ବ ବା ପ୍ରବେଶିଚି ଦେହେ !

ଧଉଳି ଗହ୍ୱରେ ବସି ଦେଖେ କି ସ୍ୱପନ !

କଳ୍ପନାବିଳାସୀର ବା ତୀବ୍ର ମତିଭ୍ରମ ।

ଭୋଜବିଦ୍ୟା !!!

ପ୍ରତିମା—ନୁହେଁ ଜଡ଼ ପ୍ରାଣବନ୍ତ ମୁଁ ହେ

ଶିଳ୍ପୀ କରେ; ଶିଳ୍ପୀ ହୃଦଭାବ ଭିଜା ଲୁହେ

ଶିହରିଚି ଦେହ ମମ, ଭାବ ମୂର୍ତ୍ତି ହୋଇ

ଗଢ଼ି ଉଠେ ଶିଳ୍ପଶାଣେ, ମୋତେ ରଚି ଥୋଇ

ଶେଷ ଶ୍ୱାସ ତେଜି ଶିଳ୍ପୀ ମିଶିଚି ମୋ ଦେହେ

ସୃଷ୍ଟେ ସ୍ରଷ୍ଟା ସତ୍ତାସରି ସନ୍ତାନ ସେନେହେ

ମୋ ଅନ୍ତରେ ଥାଇ ମୋତେ କୁହାଉଚି କଥା

ଫୁଲକୋଳେ ଗୁଣୁନାଦେ ଲୁଚି ଅଳି ଯଥା

ଲତାର ଅନ୍ତର କଥା କହେ; ଯୁଗଧରି

ରହିଛି ମୁଁ ଅତୀତର ବାର୍ତ୍ତାହର ପରି

ଜନତା ଆଗ୍ରହେ ଜୀଇଁ; ପିତୃ ଇତିହାସ

ଓଷ୍ଠ ପୁଟେ ନାଚେ ମୋର; ଅତ୍ୟାଚାର ପ୍ରାସ

ମୂଢ଼ହସ୍ତେ ସହିଚି ମୁଁ; ଦକ୍ଷକର ନାହିଁ

ଭାଙ୍ଗିଚି କଳାପାହାଡ଼ ମୁଦ୍‌ଗର ବୁଲାଇ;

କେତେ ରାଜା ମହାରାଜା ବାଦସା ଅମୀର

ମଣିମୁକ୍ତା ଆଡ଼ମ୍ୱରେ ଊର୍ଦ୍ଧେ ତୋଳି ଶିର

ଭାସିଯାନ୍ତି ଶୂନ୍ୟେ ଶୂନ୍ୟେ ସନ୍ଧ୍ୟା ମେଘ ସମ;

କେତେ ନାରୀ ସ୍ୱର୍ଣ୍ଣଲତା ସମ ମନୋରମ

ମିଶିଯାନ୍ତି ମୂର୍ତ୍ତିକାରେ, ରକ୍ତବିନ୍ଦୁ ଧରି

ଯୁଗର ଭୂଷଣରୂପେ ବଞ୍ଚିଚି ଯେପରି

ମୂର୍ତ୍ତିମତୀ କୀର୍ତ୍ତି-ଲତା

ଯୁଗଶିଳ୍ପୀ—ଖଣ୍ଡଗିରି ଶିରେ

ଝଟକଇ ସଞ୍ଜତାରା, ଦୋହଲାଇ ଧୀରେ

କ୍ଳାନ୍ତ ଡେଣା ଉଡ଼ିଯାନ୍ତି ବେନି ହଂସ କାହିଁ

ଗଙ୍ଗୁଆର ରଙ୍ଗାଜଳ ଆଙ୍କି ରଖେ ଛାଇ ।

ଲିଙ୍ଗରାଜ ମନ୍ଦିରର କେତନ କଲ୍ଲୋଳେ

ଉଜ୍ଜ୍ୱଳ ବିଜୁଳି ସମ ସନ୍ଧ୍ୟା ମେଘ କୋଳେ ।

ଦଧିଚି ସୌଜନ୍ୟପୂତ ଦୟା ସ୍ୱଚ୍ଛନୀରେ

ଗୋଧୂଳି-ଅପ୍ପରା ମେଘ-ଯାନୁଁ ଅତି ଧୀରେ

ଅବତରେ ସ୍ନାନେ, ଗଳେ ଶୁଷ୍କ ପୁଷ୍ପମାଳ

ତାରକା କଙ୍କଣ କରେ, କଟିରେ ଅନ୍ଧାର-

କଳାମେଘୀ ଶାଢ଼ୀ, ଝରେ ଅଳତାର ରାଗ

ଚରଣୁଁ ବୋଲନ୍ତି ଜନେ ଯାହା ଅସ୍ତରାଗ;

ଅର୍ଦ୍ଧ ଇନ୍ଦ୍ରନୀଳ ଅର୍ଦ୍ଧ ସୁବର୍ଣ୍ଣ ମଣ୍ଡିତ

ତରୁଲତା; ଭାର୍ଗବୀ ଓ ଦୟା ସଂଗମିତ

ବାଲୁକା ହୀରକ ରେଣୁ ମରକତ ଜଳ

ଦିଶେ ପୂର୍ଣ୍ଣ ହେଲା ପ୍ରାୟ ସୁବର୍ଣ୍ଣ ତରଳ ।

ମୂଳେ ଚୂଳେ ରକ୍ତପୀତ ଅସ୍ତରାଗ-ବୁଣା

ଧଉଳି କି ଇନ୍ଦ୍ରଜାଲେ ପାଲଟିଲା ସୁନା !

ଧଉଳି ଅତୀତ-କୀର୍ତ୍ତି ଅଭିନୟ ଅବା

କରେ ସନ୍ଧ୍ୟା ଝଟକାଇ କୋଟି ରତ୍ନ ପ୍ରଭା !

ପଥଶ୍ରାନ୍ତ ପଥିକ ମୁଁ ଅନ୍ଧାର ଗହ୍ୱରେ

ଏକାକୀ ! ନା-ନା ଏ ମୂର୍ତ୍ତି ଅଛି ମୋ ସଙ୍ଗରେ

ମୂର୍ତ୍ତି !! ନା-ନା ମାନବ ଏ ରକ୍ତମାଂସ ଧାରୀ

ମାନବ !!! ନା-ନା ଦେବତା ଧଉଳି-ବିହାରୀ ।

ଅଧରେ ତା ମନ୍ଦ୍ରବାଣୀ ମହା ବୀରତ୍ୱର

ଆବେଗେ ଅନ୍ତର ରକ୍ତ କରଇ ଚଞ୍ଚଳ ।

ଭୂତ ବା ରାକ୍ଷସ ହେଉ ପ୍ରାଣ ରହୁ ଯାଉ

ହେବି କଥା; ଏ ରହସ୍ୟ କେ ଜାଣିବ ଆଉ

ଡରିଲେ ନିର୍ଭୀକ କବି ? କାର ରକତ ସେ ?

ପ୍ରତିମା—ଦୟା ଲୋଳ ଢେଉ ସମ ଚଞ୍ଚଳ ମାନସେ

କି ବୁଝିବ ? ହୁଅ ଧୀର ସଂଯତ ଗମ୍ଭୀର

ଧଉଳି ପର୍ବତ ସମ, ଇତିହାସ ଗୀର

ସୁମଧୁର କହିବି ମୁଁ, ସେ କାଳ ରକତ

ଧରିଛି ସେ ଲାଗି ପଦେ, ବିଶ୍ୱାସୀ ଭକତ

ବହେ ଯଥା ଶୁଷ୍କମାଲ୍ୟ ।

ଯୁଗଶିଳ୍ପୀ—ସେ ରକତ କା’ର ?

ପ୍ରତିମା—ବାର ବର୍ଷର କିଶୋର ଚିତ୍ର-ଶିଳ୍ପକାର

ଶୀମୁକର ପୁତ୍ର-ସିଂହ, ଅଭିମନ୍ୟୁ ସମ

ରଣେ କାଳାନଳ ଯଥା ଦୁର୍ଦ୍ଧର୍ଷ ଦୁର୍ଦ୍ଦମ

ଯା’ର ଯୁଦ୍ଧେ ଚଣ୍ଡାଶୋକ ଦ୍ରୋଣାଚାର୍ଯ୍ୟ ପରି

ଝଞ୍ଜା ଶ୍ୱାସେ କ୍ଷିପ୍ତ ସିନ୍ଧୁ ବୀଚି ବକ୍ଷ ତରୀ

ସମ ହେଲେ ବ୍ୟତିବ୍ୟସ୍ତ କ୍ରୋଧେ ତିକ୍ତ ଅତି

କ୍ଷତ୍ରିକୁଳ ଚୂଡ଼ାମଣି ଚିତ୍ର ମହାମତି

ତାର ବୀରରକ୍ତ ଏହି ପ୍ରଳୟାଗ୍ନି ଭଳି;

ପ୍ରତି ବିନ୍ଦୁ ବଧିଚି ଯା ଲକ୍ଷ ଲକ୍ଷ ଅରି

ଉତ୍‌କ୍ଷିପ୍ତ ଧୂର୍ଜ୍ଜଟୀ ସମ, ବହଇ ରକତ

ଧରେ ଅସ୍ଥି ଜାତି ଲାଗି ମହାତ୍ମା ସତତ ।

ଯୁଗଶିଳ୍ପୀ—ଅନ୍ଧକାରେ ସୃଜି ଉଷା ବର୍ଣ୍ଣୋତ୍ସବ ଲୀଳା

ପଦେ ତବ କହ ତେବେ କିପରି ଲାଗିଲା ?

ପ୍ରତିମା—ମଧୁର ଜୋଛନା ଲୀଳା ଧରଣୀ ଉତ୍ସଙ୍ଗେ

ବୁଡ଼ିଚି ପ୍ରକୃତି ଯେହ୍ନେ ଉଲ୍ଲାସ-ତରଙ୍ଗେ !

ଧବଳ ସଉଧ ସମ ଦିଗ୍‌ବଳୟ ଗିରି

ଲୋଟେ ଯହିଁ ତହିଁ ଚାରୁ ସରଗର ଶିରି ।

ନୀର ତୀର ନୋହେ ବାରି ସବୁ ଏକାକାର

ମେଲିଛି କୁହୁକେ କେ ବା କ୍ଷୀର ପାରାବାର ।

କଠିନ ପାଷାଣ ମୁଖୁଁ ଝରଇ ଅମୃତ

ହସେ ତରୁ ପୁଷ୍ପ-ମୁଖେ ହୋଇ କୃତକୃତ୍ୟ

ଜୋତ୍ସ୍ନା ପାନେ, ଧରା-ରାଣୀ ଲାବଣ୍ୟେ ପାଗଳ

ଆକାଶ ଆଲିଙ୍ଗେ ପ୍ରେମେ ମେଲି ଜୋତ୍ସ୍ନା-କର

କ୍ଷୀରମୟ-ନୀରେ ଧୀରେ ତରୀ ଟେକି ଟେକି

ଖେଳନ୍ତି ଚପଳ ଢେଉ ଶିଶୁ ସମ ଦେଖି

ପୂର୍ଣ୍ଣଚନ୍ଦ୍ର ନୀଳାମ୍ୱରେ, ଶ୍ୱେତ ପୁଷ୍ପଦଳ

ଶଶିରିତ ଶ୍ୟାମକୁଞ୍ଜେ ସମୀର ଚଞ୍ଚଳ ।

ଶରତ ମଥାନ ଖେତ ଭରତ କୁଜନେ,

ମଧୁଚକ୍ରେ ମଧୁମକ୍ଷି ମଧୁର ଗୁଞ୍ଜନେ,

ପୁଷ୍ପପତ୍ର ମରମରେ ନଦୀ କଳସ୍ୱରେ

ଝିଲ୍ଲୀ ଝଙ୍କାରିତ ଗିରି ଗମ୍ଭୀର ଗହ୍ୱରେ

ବସି କି ପ୍ରକୃତି ସର୍ବ ସମ୍ମିଳିତ ତାନେ

ସ୍ତୁତି କରେ ସନ୍ନ୍ୟାସିନୀ ଉମା ସମ ଧ୍ୟାନେ

ବିଧାତାରେ ? ଆଜି ସର୍ବ ଶିଳ୍ପ-ଶୋଭା ସୀମା

ଦେଖାଏ ଧରଣୀ ରଙ୍ଗେ କୁମାର-ପୂର୍ଣ୍ଣିମା ।

ସରଳା ବାଳିକା ଚାନ୍ଦ ପୂଜା ହୁଳହୁଳି

ଶୁଣି ଶୁଣି ଚଳେ ମେଘ ବାଇ ମନ୍ଦ୍ର ତୂରୀ

ସ୍ନେହେ ବର୍ଷି ଆଶୀର୍ବାଦ, ରହେ ନାହିଁ କାହିଁ

ବନଗିରି ସଙ୍ଗେ ଯେହ୍ନେ ଚିହ୍ନା ତାର ନାହିଁ !!

ନିଜ ବୁକୁ ବିଦ୍ୟୁ କମ୍ପେ ଚମକେ କି ମଣି

ଶିଶୁ ଯଥା ଶୁଣି ନିଜ ଡାକ ପ୍ରତିଧ୍ୱନି ।

ଧଉଳିର ଶିଳ୍ପାଗାର କଳିଙ୍ଗ-ଗୌରବ

କୀର୍ତ୍ତିଶତ ମୂର୍ତ୍ତିଭରା ଶାଶ୍ୱତ ବିଭବ ।

ଡାକେ ଚିତ୍ର, (ନିସ୍ତରଙ୍ଗ ବାୟୁ ମଣ୍ଡଳରେ

ତରଙ୍ଗ ଗୋଟିଏ ଯେହ୍ନେ ଗଡ଼ିଗଲା ଖରେ !)

ମୂର୍ତ୍ତି ନିରମାଣେ ବ୍ୟସ୍ତ ଶୀମୁକ ମଉନ

କୋମଳ ମଧୁର ଡାକ ଶୁଣି ପୁଣ ପୁଣ

ନିଦ୍ରା ଭଙ୍ଗେ ଉଠି ଯେହ୍ନେ ସ୍ୱର୍ଗପୁରୁଁ ଖସି

ଚୁମି ଚିତ୍ର ଦୁଧିଆଳି ଗଣ୍ଡ ମୃଦୁ ହସି

ସ୍ନେହେ ପଚାରିଲେ, ‘‘କିସ କହୁ ବାପଧନ

ଜୀବର ଜୀବନ ମୋର ।’’

ଚିତ୍ର—କି ସୁନ୍ଦର ଜହ୍ନ

ଯାଏ ଭାସି ନୀଳାକାଶେ ରୂପା ଥାଳୀ ପରି

ପୃଥିବୀ ପୋଷାକେ କେତେ ଝଟକଇ ଜରି

କିରଣେ ତା, ଯହିଁ ପଡ଼େ ମାମୁଁର ଆଲୁଅ

ତହିଁ ଯାଏ ବହି ଯେହ୍ନେ ଆନନ୍ଦର ସୁଅ ।

ନ ପାରେ ପବନ ଜହ୍ନ ଆଲୁଅ ନିଭାଇ

ଭୀରୁ ପରି ପଛେ ଡରି ପଳାଇଛି ଛାଇ ।

ଜୁଳୁଜୁଳା କି ନୁଖୁରା ବଳିତା ଆଲୁ ! ଅ

ଚାନ୍ଦିନୀ ଓଢ଼ଣା ତଳେ ଢାଙ୍କିଛନ୍ତି ମୁହଁ

ତାରା ଯେତେ; ଜହ୍ନମାମୁଁ ଖେଳେ ଲୁଚକାଳି

କଳା ମେଘ ଥିର, ମାମୁଁ ଯାଏ ଯେହ୍ନେ ଚାଲି !

ବିଜୁଳିର ହାରା ଝଳେ ମାମୁଁ ଗୋରା ଗଳେ

ଲତା ପତ୍ରେ ସତେ କେତେ ରୂପା-ଦୀପ ଜଳେ !

ଜୋଛନା-ଦୁକୁଳ ପିନ୍ଧି କଳିଙ୍ଗ-ଜନନୀ

ସୁପ୍ତା ଯାକି ବୁକୁ ପରେ ସ୍ନେହେ କନ୍ୟାମଣି

ରଜନୀକି ଯେହ୍ନେ ! ଧୀରେ ଚଳଇ ନିଃଶ୍ୱାସ

ଚାରୁମୁଖେ ଉକୁଟଇ ମୃଦୁ ମନ୍ଦ ହାସ ।

ଆହା । ଏହି ଦେଶ ମାଟି ଆମ ରକ୍ତେ କାଲି

କି ଉପାୟ ବାବା ! ହେବ ଅକାରଣେ ନାଲି ।

ମୁମୂର୍ଷୁର ହାହାକାରେ କାନ୍ଦିବେ ଜନନୀ

ଫଟାଇ ହୃଦୟ, ଯିବ ଅଶ୍ରୁଧାର ଜମି

କେତେ ମାତା ପିତା ଭାଇ ଭଗିନୀ ନୟନେ;

କେତେ ନାରୀ ଲୁହ-ଭିଜା କନକ ଭୂଷଣେ

ତେଜିବେ ଅନଳ ସମ, ଦିଶିବ ଭୀଷଣ

ଶ୍ମଶାନ ଯେସନ ଧରା, କବନ୍ଧ ନର୍ତ୍ତନ

କରିବେ ଶୃଗାଳ, ଶ୍ୱାନ, ଶକୁନି ସଙ୍ଗତେ,

ଦେଶ-ମାତା ଗାଧୋଇବେ ସନ୍ତାନ ରକତେ !

ମାନବ ନ ରଖେ କିଂପା ମାନବ ଇଜ୍ଜତ

ମଳୟ ମହତ୍ୱ ଯଥା ରଖଇ ବସନ୍ତ ।

ନରତ୍ୱ ଦୁର୍ଲ୍ଲଭ ଲୋକେ, ଜୀବେ ଶ୍ରେଷ୍ଠ ନର

ନିଜ ପରି ଗଢ଼ିଛନ୍ତି ମାନବ ଈଶ୍ୱର ।

ବୁଦ୍ଧି, ଜ୍ଞାନ ବିବେକର ବଳେ ସର୍ବଜୟୀ

ପୂର୍ଣ୍ଣତାର ଲକ୍ଷ୍ୟେ ଚଳେ ବହୁ କଷ୍ଟ ସହି ।

ସ୍ୱାଧୀନ, ସଂଯତ, ସ୍ୱଚ୍ଛ ମହିମା-ବିରାଟ

ଉଦାର, ମହତ କ୍ଷମା-ସୁନ୍ଦର ଲଲାଟ

ଦିଶେ ଖଣ୍ଡେ ସ୍ୱର୍ଗ ଭଳି, ଚିତ୍ତ ପଡ଼େ ନଇଁ

ଦେବତାରୁ ବଳି ନର ଗୁଣ ବିକଶଇ ।

ଭାଇ ଦୁଃଖେ ମୋତି ସମ ଅଶ୍ରୁତା ନୟନେ

ଭାଇ ସୁଖେ ଫୁଲେ ବକ୍ଷ ଜୁଆର ଯେସନେ ।

ସେବେ ବିଶ୍ୱ ପରିବାର ସେ ନର-ମହାତ୍ମା,

ସକଳ ଜୀବରେ ହେରି ନିଜ ଦିବ୍ୟ ଆତ୍ମା ।

ନିଜ ଆତ୍ମା-ଦରପଣେ ଦେଖେ ବିଶ୍ୱ ଛବି

ବିଶ୍ୱ ସୁଖ ଦୁଃଖ ପ୍ରାଣେ ପ୍ରାଣେ ଅନୁଭବି ।

ବିରାଟ ମାନବ ଉଚ୍ଚ ଆତ୍ମା ପଡ଼େ ନଇଁ

କ୍ଷୁଦ୍ର, ନୀଚ, ଖଣ୍ଟ, ପଶୁ, ପାଷାଣ ହୁଅଇ

ରଣେ ମାତି, ଅନ୍ତରର ଦେବ ଭାବମାନ

ଦିଏ ବଳି, କରେ ଖୁଣ ମାନବ ସମ୍ମାନ ।

ନ ଶୁଣି ବିବେକ ବାଣୀ କରେ ଯୁଦ୍ଧ କିଆଁ ?

ନର କିଆଁ ପୋଡ଼ି ମରେ ନିଜେ ଜାଳି ନିଆଁ ?

ନିଜେ ବେଡ଼ି କଡ଼ି ଗଢ଼େ ନିଜର ବନ୍ଧନେ ?

ନିଜେ ଖୋଳେ ଗାତ ଶତ ନିଜର ପତନେ ?

ଶତ୍ରୁ ପଥେ ପୋତି କଣ୍ଟାବନ ନିଜେ ମାଡ଼େ ।

ସଢ଼େ ସ୍ୱନିର୍ମିତ କାରା ଅନ୍ଧ ଅନ୍ଧକାରେ !

ନିଜ ଶୋକ ଲାଗି ବାପା ! ନର ନିଜେ ଦାୟୀ;

ଏ ମରଣ ଖେଳ ଛଡ଼ା ଆଉ ହେ କି ନାହିଁ

ଖେଳ କିଛି ? ଦିନେ ମୋତେ କହୁଥିଲ ପରା ।

ଶୀମୁକ—କିସ ବୋଲ ପ୍ରାଣଧନ ରତନ ପସରା ?

ଚିତ୍ର—ଶିଳ୍ପୀ ବଞ୍ଚେ ଚିର ବୋଲି ? ଉଚ୍ଚ ମନ ଭାବ

ଘନ ହୋଇ ଲଭେ ଗଢ଼ା ମୂର୍ତ୍ତିଠାରେ ଠାବ ।

କରେ ସେ ଅମର ତାରେ; କବି, ଚିତ୍ରକର

ଲେଖି ଗୀତି ଆଙ୍କି ଛବି ଅତି ମନୋହର

ତୋଳେ ଚିର ଯଶ-ବାନା କାଳ-ସିନ୍ଧୁ ତୀରେ

ଯାବଚ୍ଚନ୍ଦ୍ର ରବି ଯାହା ପ୍ରତିଫଳେ ନୀରେ ।

ରଣରଙ୍ଗେ ଭାଇ ସଙ୍ଗେ ମାତି କି ଅମର

ହୁଏ ନର ? କିଆଁ ତେବେ କରଇ ସମର

କରି ଶକ୍ତି ଅପଚୟ ? ନ ଆସଇ ଘୃଣା

ହତ୍ୟା ପାପେ ? ଭାଇ ଦେଖି ନ ଆସେ କରୁଣା

ମନେ ତାର ? ସ୍ନେହ, ପ୍ରେମ, ସ୍ୱଜାତି ମମତା

କହେ ନା କି ? ‘‘ରହ ଯୋଦ୍ଧା, ବୃଥା ଭ୍ରାତୃ ମଥା

ଛିଣ୍ଡା ନା ରେ ଖଣ୍ଡାଧାରେ’’; କୋମଳ କୁସୁମ

ମୋଡ଼ଇ ବାଳକ ଯଥା ।

ଶୀମୁକ—ତୁନି ରହେ ଦ୍ରୁମ

କାନ୍ଦି ଦଣ୍ଡେ ହିମ-ଲୁହେ, ବ୍ୟଥାନଳେ ଜଳି

ବାୟୁ ହା ହା ଶ୍ୱାସେ ଶାଖା-କର ଛାଟି ହଲି ।

ମହାବଳ ପାଷଣ୍ଡରେ ଲାଞ୍ଛିତ ଦୁର୍ବଳ

କରେ ଯଦି ପ୍ରତିବାଦ ତାର ପଶୁବଳ-

ବର୍ଚ୍ଛା ତୀକ୍ଷ୍ମତର ହୁଏ କ୍ରୋଧାନଳେ ପଜା

ଯଥା କ୍ରମେ ଦୃଢ଼ତର ପଶୁ ପାଶ ସଜ୍ଜା

ଚିଡ଼ି ଭିଡ଼ି ଓଟାରିଲେ; ଦୁଃଖୀ ରହୁ ମୂକ

ଅତ୍ୟାଚାରୀ ଅତ୍ୟାଚାରେ, ବୁକୁତଳ ଦୁଃଖ

ଚାପି ରଖୁ, କିବା ଲାଭ ଦୁର୍ବଳ ଶଶକ

କ୍ରୋଧାକ୍ତ କେଶରୀ ସଙ୍ଗେ କରିଣ ପରଖ

ସ୍ୱଳ୍ପବଳ; ଯୋଦ୍ଧା ହୃଦେ ଖୋଜୁ ତୁ କରୁଣା ?

ମରୁ-ଗିରି ତୀରେ ସ୍ୱର୍ଗ ଅମୃତ ଝରଣା ?

ଝଞ୍ଜା ମୁଖେ ଜ୍ୟୋତ୍ସ୍ନା ହାସ୍ୟ ! ଉଦାର, କୋମଳ ?

ବଜ୍ରଠାରେ ପିତୃସ୍ନେହ ପରଶ ଶୀତଳ ?

ବୃଥା ଆଶା ।

ଚିତ୍ର—ତେବେ ନର ସଂହାର-ତାଣ୍ଡବେ

ପ୍ରବଳ ଖିଆଲେ ମୋତେ, ଶକତି ଗରବେ ।

ପଶୁ-ଅସ୍ତ୍ର-ରଦ ଲୋଡ଼େ ନରମାଂସ ସ୍ୱାଦ

ନର-ମେଧ-ଯଜ୍ଞେ ଲଭେ ପାଶବ ଆହ୍ଲାଦ !

ଏଥିଲାଗି ଏତେ ହତ୍ୟା !! ଶୋକ ହାହାକାରେ

ବୁଡ଼ଇ ଜଗତ ଘୋର ଦୁଃଖ-ପାରାବାରେ

ଜଣଙ୍କ ଖିଆଲ ତୋଷେ ? ଜଣେ ନେତା ରୋଷେ

କୃପାଣ ତେଜଇ କୋଷ ବିନାଶେ ନିର୍ଦ୍ଦୋଷେ ?

ଯୁଦ୍ଧ ଏତେ ସେଥିପାଇଁ ?

ଶୀମୁକ—ସତ୍ୟ କେତେ ଅଂଶେ

କହିଲୁ ଯା; ନର ରଣେ ପରରାଷ୍ଟ୍ର ଧ୍ୱଂସେ

ଲୋଳ ଲୋଭ ତୃପ୍ତି ପାଇଁ; ବର୍ଦ୍ଧିତ ଶକତି

ବହିଯାଏ ଅତ୍ୟାଚାରେ ସ୍ୱେଚ୍ଛାଚାରେ ଅତି

ପୂର୍ଣ୍ଣତୋୟା ବନ୍ୟା ସମ ଭାଙ୍ଗି ବନ୍ଧ, ନାଶି

ଜନପ୍ରାଣୀ, ପଲ୍ଲୀ ପ୍ରାଣ ଶସ୍ୟାବଳୀ ଗ୍ରାସି,

ପ୍ରକୃତି ନିୟମ ଧନ; ଏ ଯେ କାଳେ କାଳେ

ସର୍ବମତ୍ୟନ୍ତଂ ଗର୍ହିତଂ ।

ଚିତ୍ର—ଏହା କି ବିଚାରେ

କହ ବାପା ? ନର ଯଦି ହୁଏ ବଳିଆନ

ଉଦ୍‌ବୃତ୍ତ ଶକତି କିଆଁ ନ କରିବ ଦାନ

ବିଶ୍ୱସେବା ଲାଗି ? ଦାନେ ଅରଜିବ ପୁଣ୍ୟ ।

ମୁଣ୍ଡ ହାଣି କି ଲଭଇ ? ଶୁଷ୍କ ଯଶ ଶୂନ୍ୟ !

ଆସେ ଦଣ୍ଡେ ଯାଏ ଯାହା; ବସନ୍ତ ମଳୟ

କରି କ୍ଷଣେ ଦିଗ୍‌ବଳୟ ପରିମଳମୟ

ନିଦାଘର ଚକ୍ଷୁ ତଟେ ଲୁଚେ ଯଥା; ନିଆଁ

ପରଘରେ ଜାଳି ନର କିଆଁ ମାରେ ଡିଆଁ ?

ଧୂମ ତାର କରେ ନା କି ନୟନ ସଜଳ ?

ବିନ୍ଧେ ନା କି ହାହାକାର ବିଷମୟ ଶର

ମରମେ ମରମେ ତାର ? ପ୍ରାଣକଟା ଲୁହ

ଫଟାଇ ହୃଦୟ ତାର କୁହ ବାପା, କୁହ

ବହେ ନା କି ଆନ ସ୍ରୋତେ ?

ଶୀମୁକ—ଦୁର୍ବଳ ମାନବ

ଧନ କ୍ଷମତାର ମୋହେ ବିକୃତ ଦାନବ

ଭୁଲେ ବିଶ୍ୱ-ନିଃସ୍ୱ-ସେବା, ସାମ୍ରାଜ୍ୟ ବିସ୍ତାରେ

ଦଳି ମାନବର ଜନ୍ମଗତ ଅଧିକାରେ;

ସ୍ୱାଧୀନତା ହୁଏ କ୍ରୂର ସ୍ୱେଚ୍ଛାଚାର ଦାସୀ

ନ୍ୟାୟ, ସତ୍ୟ, ଧର୍ମ ଗଳେ ଲାଗେ କାଳ ଫାଶି;

ଦୟା, ଦୁର୍ବଳତା ନାମେ ଲଭେ ପରିଚୟ,

ହିଂସା-ହତ୍ୟା-ରାଣୀ ସଙ୍ଗେ ଚଳଇ ବିଜୟ

ଭେକ ସମ ଅଭିମାନ-କୁଜ୍‌ଝଟିକା ତଳେ

ଗର୍ବ-କଚୁପତ୍ର ଧରି; ମାନବ କ୍ଷମତା

ହସେ ଯେବେ ବୋଲ ତାରେ ଘୋର କୃତ୍ରିମତା

ଭୀଷଣ ବିକଟ ଅତି ବିଷ-ପୁଷ୍ପ ସମ

କୋଟିଏ କାନ୍ଦନ୍ତି ଯେବେ ହସେ ଥରେ ଯମ

ନିଷ୍ଠୁର ଆଗ୍ନେୟ ଗିରି-ମୁଖେ; ବିଶ୍ୱ ପାଇଁ

କ୍ୱଚିତ ଧରଇ ଅସ୍ତ୍ର ମାନବ ବଡ଼ାଇ ।

ଚିତ୍ର—ନିର୍ଦ୍ଦୋଷ କଳିଙ୍ଗେ କିଆଁ ଆସେ ଚଣ୍ଡାଶୋକ ?

ବୁଣିବାକୁ ବଜ୍ରହସ୍ତେ ମୃତ୍ୟୁ ଦୁଃଖ ଶୋକ ?

ରାଜ୍ୟ ଲୋଭେ ?

ଶୀମୁକ—ଉଡ଼୍ର ସେନା, ଅସୀମ ବୀରତ୍ୱ;

ନ ପାରଇ ସହି ଚଣ୍ଡ ଅଶୋକ ରାଜତ୍ୱ;

ସେଥିଲାଗି ଅଭିଯାନ ।

ଚିତ୍ର—ଭାରତ-ସମ୍ରାଟ !

କାହିଁ କେତେ ଅସ୍ତ୍ରଶସ୍ତ୍ର ବାହିନୀ ବିରାଟ !

କାହିଁ ଆମ କ୍ଷୁଦ୍ର ସେନା ! ଆକାଶ ପାତାଳ

ପ୍ରଭେଦ ଦେଖଇ ବାପା ! ସାଗର ବିଶାଳ

ଜୁଆର ଯେସନ ସେନା ଆସୁଥିବେ ମାଡ଼ି

କିଏ ଜାଣେ କାହିଁ ନେବେ ଏ କଳିଙ୍ଗ ତାଡ଼ି !

କ୍ଷୁଦ୍ର ଏକ ସେନା ଘେନି କିଆଁ ଏ କଳିଙ୍ଗ

ଯାଏ ଯୁଦ୍ଧେ ? ଉଡ଼୍ରସେନା ଯୋଦ୍ଧା ବୀରସିଂହ

ଜାଣେ ବାପା; ଏକ ସିଂହେ ଶତ ମହାବଳ

ଘେରନ୍ତି ଅନ୍ୟାୟେ ଯଦି କିସ ହେବ ଫଳ ?

ପରାଜୟ !!

ଶୀମୁକ—କିସ କହୁ ବାଳକ ଅଜ୍ଞାନ ?

ପ୍ରାଣଠାରୁ ମୂଲ୍ୟବାନ ଜାତୀୟ ସମ୍ମାନ ।

ଜାତିର ଗୌରବ-ଧନ ପ୍ରିୟ ସ୍ୱାଧୀନତା

ଭାଙ୍ଗିଚି କଳିଙ୍ଗ, କେବେ ନୁଆଇନି ମଥା

ପରପଦେ ପ୍ରାଣ ଲାଗି; ଜୀଇଁବ କେ ଚିର ?

ମରିବ ମାନବ ଯେବେ ମରୁ ହୋଇ ବୀର,

ନିଜ ରକ୍ତ ପଙ୍କେ ଲୋଟି ନ କରୁ ପଙ୍କିଳ

ଜାତୀୟ ଚରିତ୍ର ପଟ ସଦା ଅନାବିଳ

ମଧ୍ୟାହ୍ନ ତପନସମ; ଯାଉ ରକ୍ତେ ଭାସି

ଦେଶ-ମାତା ନାହିଁ ଭୟ; ଶତ ମୁଣ୍ଡ ଗ୍ରାସି

ରଣ-ଲକ୍ଷ୍ମୀ ହେଉ ତୃପ୍ତ; ଦେଶ ସ୍ୱାଧୀନତା

ନ ହରିବ ଅରିଥିଲେ ବିନ୍ଦୁଏ କ୍ଷମତା,

ମୁହୂର୍ତ୍ତକ ଶ୍ୱାସବାୟୁ, କ୍ଷଣେ କ୍ଷୀଣ ଆୟୁ

ନ ପଶିବ ସିଂହବିଳେ ପାପିଷ୍ଠ ଗୋମାୟୁ ।

ମୁଣ୍ଡମାଳା ପେଣ୍ଡୁସମ ଗଡ଼ାଇ ଚରଣେ

ବୀର ଅସ୍ଥି ମାଡ଼ି କୁଦି ନିରାଶ ନୟନେ

ରକ୍ତ-ନଦୀ ତଟେ ଦେଖୁ କଙ୍କାଳ କେବଳ

ମରୁବାୟୁ ହାହା ଶ୍ୱାସେ ଶ୍ମଶାନ ବିକଳ

ବିସ୍ମୟେ ବିଜୟୀ ଅରି;

ଫଟାଇ ଏ କାନ

ବାଜିବ ସମ୍ରାଟ-ଭେରୀ ! ତେଜି ଜନ୍ମସ୍ଥାନ,

ଲୁଚିବା କି ଭୀରୁସମ ?

ଖଡ଼୍‌ଗର ଝନ୍‌ଝନି

ଖଡ଼୍‌ଗକୁ ଉତ୍ତର ଦେବ, ବଜ୍ରେ ବଜ୍ର ବହ୍ନି,

ବଳେ ବଳ, କଳେ କଳ, ମୁରାଟେ ମୁରାଟ,

ଚୋଟେ ଚୋଟ, ଆଣ୍ଟେ ଆଣ୍ଟ, କୁହାଟେ କୁହାଟ ।

ମରୁ ଜାତି ବଞ୍ଚୁ ଚିର ଜାତୀୟ ଇଜ୍ଜତ,

ସ୍ୱର୍ଣ୍ଣମୟ କରୁ ଯଶେ ଇତିହାସ ପତ୍ର ।

ହେଇ ଶୁଣ ଚିଲିକାର ତରଙ୍ଗେ ତରଙ୍ଗେ

ଉଡ଼୍ର ପ୍ରତିବାଦ ନାଦ ! ଆକାଶ ଉତ୍ସଙ୍ଗେ

ଆସେ ଭାସି ଦରୀତଟୁଁ ଗିରି ଗରଜନ

ହୁଙ୍କାର ଝଙ୍କାର ନାଦ, ଅର୍ଣ୍ଣବ ପବନ

ଗର୍ଜ୍ଜି ଉଠେ, ‘‘ପ୍ରତିଶୋଧ’’ ‘‘ପ୍ରତିଶୋଧ’’ ଘୋଷି

ମହାନଦୀ ତର୍କ୍କି ଉଠେ ‘‘ଧ୍ୱଂସ ଶତ୍ରୁ ରୋଷି’’ ।

ମହୋଦଧି ଧରି ତୁଙ୍ଗ ତରଙ୍ଗର ତୂରୀ

‘‘ଜାଗରେ କଳିଙ୍ଗ ସିଂହ’’ ଗରଜେ ଉଚ୍ଛୁଳି ।

ଡାକଇ ଗିରିକି ଗିରି କାନନେ କାନନ

ଝାଡ଼ି ଝାଡ଼ି ଉଡ଼ିଯାଏ ପକ୍ଷ ବିହଙ୍ଗମ

ଦୂତ ରୂପେ, ଚଣ୍ଡାଶୋକେ ଓଗାଳନ୍ତି ପଥ

ପ୍ରକୃତି ସୁନ୍ଦରୀ ଗିରି-ନନ୍ଦିଘୋଷ ରଥ

ସାଜି ଦୃଢ଼େ;

ପୁଣ୍ୟମୟୀ କଳିଙ୍ଗ-ଜନନୀ

ସ୍ୱର୍ଗସମ ମନୋରମ, ବହେ ସନସନି

ଦେବତାର ଶ୍ୱାସ ସମ ସୁରଭି ସମୀର,

ପୀୟୁଷରୁ ବଳି ଯହିଁ ନଦୀ ହ୍ରଦ ନୀର,

ଉର୍ବଶୀର ମୁଖସମ ପୁଷ୍ପ ବିକଶଇ,

ପରମାତ୍ମା ସମ ସିନ୍ଧୁ ଚରଣ ଧୁଅଇ,

ଗିରିବନ ଲତାକୁଞ୍ଜେ ଦୋଳନ୍ତି ଅପ୍‌ସରା,

ଅଗଣିତ ଚାନ୍ଦ ମର୍ତ୍ତ୍ୟେ ଫୁଟିଗଲା ପରା !

ହେର ‘‘ଜାଗ’’ ବୋଲି ଠାରେ ଦେବତା କେତନ;

‘‘ଦେଶଲାଗି ଧନ-ପ୍ରାଣ କର ସମର୍ପଣ’’-

ଭାଷେ ଶୂନ୍ୟ ଶଙ୍ଖ ସ୍ୱନେ !

ଚିତ୍ର—ମୋତେ କି ନେବ ନି ?

ମୁଁ କି ନ ପାରିବି ସେବି କଳିଙ୍ଗ-ଜନନୀ

ଲହୁ-ମହୁଟିକେ ଦେଇ ? ପାଷାଣ ବିଗ୍ରହ

ବୁଝେ ତ ଭକତ କଥା, ହେବେ କି ନିର୍ଦ୍ଦୟ

ଜନନୀ ଜନମଭୂମି ?

ଶୀମୁକ—କି କହୁରେ ଧନ ?

ଅନ୍ଧର ଲଉଡ଼ି ମୋର ସୁଖର ସପନ,

ରଣେ ଯିବୁ ? ରଣ-ଖେଳ ଶିଶୁପାଇଁ ନୁହେଁ,

ସାଳଗଛ ପରି ବୀର ଝଞ୍ଜା ମାଡ଼େ ଶୁଏ,

ଫୁଲ କି ରହିବ ସେଥି ? ନିଶ୍ୱାସ ପବନେ

ଉଡ଼ିଯିବୁ ତୁଳାପରି ସୁଦୂର ଗଗନେ !

ସେ ନୁହେଁ ରେ ଗୁଡ଼ି ଉଡ଼ା, ପ୍ରଜାପତି ଧରା

କିବା ଚାଟ ପରାପରି ପକ୍ଷୀ ମୂଷାମରା

ଗୁଲୁଗୁଲୁ ଖେଳ କଥା ହାସ ପରିହାସ

ନାହିଁ ତହିଁ, ରଣ ଦୁଷ୍ଟ ଯମର ନିବାସ ।

କ୍ଷୀଣ ଖେଳେ ଶିର କାଳ କ୍ରୂର କରେ ଦେଇ

ଯଶଟିକେ ଜନ ମୁଖେ ମୁହୂର୍ତ୍ତେ ଘୋଷାଇ,

ଶୁଏ ବୀର ଚିରକାଳ ସୈନିକ ଉଦାର;

ବହେ ଯୁଦ୍ଧେ ରକ୍ତନଦୀ, ଚଣ୍ଡୀର ଚିତ୍କାର

ଛାତି ଖୋଳି ନିଏ ତାଡ଼ି ବୀରତ୍ୱ, ସାହସ

କୁନି ଶିଶୁ ରଣେ ଯିବୁ !

ଚିତ୍ର—ହସ ବାପା, ହସ !

ହସିଥିଲେ ଶତ୍ରୁ ମୋର ବନ୍ଦ କରି ତୁଣ୍ଡ

ଦିଅନ୍ତି ମୁଁ ଖଣ୍ଡାଧାରେ କାଟି ଦର୍ପୀ ମୁଣ୍ଡ

ପଡ଼ନ୍ତା କାମୁଡ଼ି ମାଟି; ହାୟ ବାପା ! ହାୟ

ତୁମେ ମୋତେ ଥଟ୍ଟା କର ଭାବ ଅସହାୟ !

ଶିଖିଚି ମୁଁ ଖଣ୍ଡା ଖେଳ ବୀରର ପାହୁଲ

ଢାଲେ କରି ଆତ୍ମରକ୍ଷା; କ୍ଷତ୍ରିୟ-ମହୁଡ଼

ପୁତ୍ର ସିଂହ ହୋଇ ମୁଁ କି ଜାଣେ ନା ଶିକାର

ରଣ-ବନେ ଶତ୍ରୁ-ମୃଗେ ? ଅବିଶ୍ୱାସ ଛାଡ଼;

ନିଜେ ଦେଇ ଗୁରୁଦୀକ୍ଷା ଚଣ୍ଡ ରଣ ଶିକ୍ଷା

ରଣ-କେନ୍ଦ୍ରେ ନେବ ନି କି ସେ ପାଠ ପରୀକ୍ଷା

ଦ୍ରୋଣ ସମ ? କ୍ଷାତ୍ରପୁତ୍ର ବ୍ୟାଘ୍ର କି ଶୃଗାଳ

ରଣକ୍ଷେତ୍ରେ ଚିତ୍ର, ଦେବ ପରିଚୟ ତାର

ଏ ସୁଯୋଗେ ।

ଶୀମୁକ—ମନେକର, ଶୀମୁକ ମରଣେ

କେ କରିବ ପିତୃଶ୍ରାଦ୍ଧ ଚିତ୍ର ଗଲେ ରଣେ,

ଭିଜାଇ ତା ଆଖିପତା ପିତୃଭକ୍ତି-ଲୁହେ,

ଫିକା କରି ନାଲି ଓଠ ଉଷ୍ମଶ୍ୱାସ ସୁଏ ?

ଚିତ୍ର—କାନ୍ଦୁଚ କି ଲାଗି ବାପା ? ଶ୍ରାଦ୍ଧ ଆୟୋଜନ

କରି କି ହେ ଯିବ ରଣେ ?

ଶୀମୁକ—କୃପଣ-ରତନ

ଅନ୍ଧର ଲଉଡ଼ି ବାବୁ, ନିରାଶର ଆଶା,

ଭିଖାରୀର ଭିକ୍ଷାଥାଳ, ମୂକ କଣ୍ଠ ଭାଷା,

ମୋ ଦେହର ଅନ୍ତରର ମାନସର ଜ୍ୟୋତି,

ଝରି ତିଳେ ତିଳେ ପ୍ରାଣ ଆନନ୍ଦର ମୋତି

ମୂର୍ତ୍ତିମାନ ପୁତ୍ରେ ମୋର ପୁଷ୍ପମୟ ତରୁ

ଦୀର୍ଘକାଳ ପରେ ମଣ୍ଡି ଯଥା ରୁକ୍ଷ ମରୁ ।

ବଞ୍ଚିବି ମୁଁ ପୁତ୍ରେ ମୋର ମଲେ ଘୋର ରଣେ

ଶ୍ରାଦ୍ଧେ ଅଶ୍ରୁସିକ୍ତ ହେବ ମୋ ଗୁଣ ସ୍ମରଣେ,

ବଡ଼ବଡ଼ିଆଙ୍କୁ ଟିକେ ଟେକିବ ଆଲୁଅ

କାଉଁରିଆ କାଠି ଜାଳି କୁଳେ ଥିଲେ ପୁଅ ।

ନ ଛାଡ଼ିବି;

ଚିତ୍ର—ଯେ ପିତୃବ୍ୟ ଦେଶ ସ୍ୱାଧୀନତା

ପ୍ରାଣପଣେ ଥିଲେ ରଖି ପରାଧୀନ କଥା

ଶୁଣି ସେ ବଧୀର ହେବେ, ଦାସ ହସ୍ତ ପାଣି

ଅପବିତ୍ର ନେବେ ନାହିଁ, ଏହା ଜାଣି ଜାଣି

ଅତୀତ ଅମର କୀର୍ତ୍ତି କରି କଳଙ୍କିତ

ବଞ୍ଚିବା କି ବଞ୍ଚିବାରୁ ହୋଇବା ବଞ୍ଚିତ ?

ପଦ୍ମା—ରାବିଲେଣି କୁମ୍ଭାଟୁଆ କଜଳପାତିଆ

‘ନାରାୟଣ ରଖ’ ଡାକେ କୁକ୍କୁଟ, ଫୁକିଆ

ଉଠିଲାଣି ଗଛ ଶିଖେ, ପାହି ଆସେ ରାତି

ଆରେ ଚିତୁ, ସୁନାଚାନ୍ଦ, ମୋ ଗୁଣ୍ଠୁଣୀ ହାତୀ,

ରାତିଯାକ ଗଢ଼ିବ କି ମୂର୍ତ୍ତି ବାପ ପୁଅ ?

ଆଖି ଦିଶେ କଷାକଷା, ଆସ ଟିକେ ଶୁଅ

ପାରିଚି ସୁପାତୀ, ଧନ ଦୀପ ଜାଳି ଜାଳି

ଚାହିଁ ଚାହିଁ ଆଖିପତା ପଡ଼େ ମାଡ଼ି ମାଡ଼ି

ନୟନ ସଙ୍ଖାଳି ଆସ;

ଚିତ୍ର—କିଆଁ ଯିବି ମାଆ

ରାବିଲେଣି କାକପିକ ଜାଗିଲେଣି ଗାଆଁ

ଶୁଭେ ଟୁପୁଟୁପୁ କଥା; ରବି ଆସେ ଉଇଁ

ସୁନାରଥ-ସୁନାଘୋଡ଼ା ଟାପୁ ଉଠେ ଛୁଇଁ

ସମୁଦ୍ର ଲହରୀ ଧୀରେ, ଆକାଶର ନୀଳ

କାଟି ଚାଲେ ସୁନା ଚକ ଉଦୟାଦ୍ରି ଶିର ।

ଆକାଶେ ଉଡ଼ନ୍ତି ଘୋଡ଼ା, ଡ଼େଣା ଫଡ଼ ଫଡ଼

ସୁନାର କୋରଡ଼ା ଶବ୍ଦ, ରଥର ଘର୍ଘର

ଶୁଭେ ଯେହ୍ନେ ! ମେଘ ଫାଙ୍କେ ଉଙ୍କି ମାରେ ରବି

ପହୁଡ଼ ଛଡ଼ଇ ଧରା, କୋଟି କୋଟି ଛବି

ସହସା ଯେମନ୍ତ ହୁଏ ଜୀବନ୍ତ ବଦଳି !

ଧରଣୀ ଯାଉଚି ଯେହ୍ନେ ସୁନାକୁ ତରଳି ।

ହୁଏ ମନେ ବାଳାରୁଣ କିରଣ-ସାଗରେ

ଆକାଶ ଅବନୀ ବୁଡ଼େ ସଙ୍ଗୀତ ସ୍ରୋତରେ,

ସରଗର ପରୀ ସରି କି ସୁନ୍ଦରୀ ଉଷା !

ଜନନୀ ଗୋ ଆଣ ମୋର ଯୁଦ୍ଧ ବେଶ ଭୂଷା,

ସମରେ ଯିବି ମୁଁ, ଶୁଣ, ଉଡ଼୍ର ସେନାପତି

ରଣ ଶିଙ୍ଘା, ଗର୍ଜ୍ଜେ ଭେରୀ, ଦିଅ ଅନୁମତି

ତବ ପଦଧୂଳି ମା ଗୋ, କରିବ ବିଜୟୀ

ନିଶ୍ଚୟ ଆଜି ଏ ରଣେ ।

ପଦ୍ମା—ଝଡ଼ ଧକ୍କା ସହି

ପାରେ କି ଶିରୀଷ କଢ଼ି ? କା ସାଥେ ସମର

କରିବୁରେ ସିଂହ ଶିଶୁ ? ଏତେ କି ତୋ ବଳ

ଯୁଝିବାକୁ ହସ୍ତୀ ସାଥେ ! ହଲିଲା ପାଣିକି

ନ ବଢ଼ାଉ ପାଦ, ଡରୁ ଅନ୍ଧାର ଛାଇକି ।

କଳି ଶୁଣି ବସୁ ଦୁଃଖେ କିଳି ତୁ କବାଟ

ଦିନରାତି ଅଣ୍ଟେ ନାହିଁ ସେବାକରୁ ଆର୍ତ୍ତ ।

ଗରିବ ରୋଗୀର ତୁଣ୍ଡେ ଦେଉ ବଟି ପାଣି

ନିରାଶେ ଶୁଣାଉ କେତେ ଆଶ୍ୱାସନା ବାଣୀ ।

ବାଟୁ, କାଢ଼ୁଥାଉ କଣ୍ଟା, ବୁଜୁଥାଉ ଗାତ;

ଅତିଥି ନ ସେବି ତୋତେ ରୁଚେ ନାହିଁ ଭାତ ।

ଲୁଗା ପଟା ଫିଙ୍ଗିଦେଉ ଫୁଙ୍ଗୁଳା ଦୁଃଖୀକି;

ଯୁଦ୍ଧକୁ ଛାଡ଼ିବି ? ଆଗେ ମୁଁ ମରିଯାଏଁଟି ।

ସାଥି ମେଳେ ବାରି ହେଉ ସରି କେ ତୋ ତୁଲେ ?

ଚାନ୍ଦ ପରି ତାରା ମାଳେ, ପାରିଜାତ ଫୁଲେ ।

ଗାଁ ଯାକ ଘୋଷୁଥାନ୍ତି ପ୍ରଶଂସା ତୋହରି

କର ଯୁଗରାଇଜ ମୋ ଦିନ ଯାଉ ସରି ।

ଏକୋଇର ବଳା ବିଶିକେଶନ ମୋହର

ନିଧନ ଶଙ୍ଖାଳି, ସୁନା ଚନ୍ଦ୍ରମା ସୁନ୍ଦର ।

ଅନ୍ଧୁଣୀ ନୟନ ମୋର ଜୀବନ-ନାଟିକା,

ସେନେହ ରତନ ଥାଳୀ, ଆନନ୍ଦ ଜୀବିକା ।

ଡରିବୁ ବୋଲି ତୁ ଗଳେ ଘୋଡ଼ା ଲାଞ୍ଜବାଳ

ବାନ୍ଧିଛି, ମଙ୍ଗଳାଙ୍କର ଦେଉଳେ ଜନ୍ତାଳ ।

ପ୍ରତି ମାସେ, ଘଷେ କ୍ଷୀର, ନବାତ, କଦଳୀ

ଶିବ ଶିରେ, କଳା ବୋଦା ହଳେ ଦେବି ବଳି

କାଳୀ ପାଶେ ଯାଚିଛି ତୋ ମଙ୍ଗଳ ମନାସି;

ବିଶ୍ୱାସୀ ତରଇ ଚିର ମରେ ଅବିଶ୍ୱାସୀ ।

ପଶିବେ ଡାହାଣୀ ବୋଲି କିଳାଉଚି ଦେହ

ବାଘ ମୁହେଁ ଛାଡ଼ିବାକୁ ନାହିଁ କରେ ସ୍ନେହ ।

ଆହା ! ମୋ ଧନ ବଦନ ଶୁଖି ତ ଗଲାଣି

ଛଡ଼ା ଫୁଲ ପରି କେଡ଼େ ଫିକା ଦିଶିଲାଣି

କୋଳେ ଭରି ଦିଏଁ ଚୁମି ଝାଡ଼ି ଦେହ ଧୂଳି

ନ ଥିଲେ ତୁ ପାଶେ ଦଣ୍ଡେ ମର୍ମେ ଭେଦେ ଛୁରି;

ନ ଛାଡ଼ିବି ରଣେ ତୋତେ ।

ଚିତ୍ର—ହିଂସା ଜାଣେ ନାହିଁ

ମଣିଷ ମୋ ଗୁରୁ, ପିତା, ଦଦା, କକା, ଭାଇ ।

ମଣିଷର ଗୁଣ ପୂଜେ, ଖୁଣ ମୁଁ ଧିକ୍କାରେ

ଶତ୍ରୁ ରୂପେ ଯହିଁ ଆମ ଦେଶ ଅଧିକାରେ

ନର, ତହିଁ ଜାତି ରକ୍ଷା ଆତ୍ମରକ୍ଷା ପାଇଁ

ଧରେ ଅସି; ଧ୍ୱଂସେ ଶତ୍ରୁ ମମତା ଛଡ଼ାଇ ।

ସ୍ନେହ ନାମେ ସ୍ୱାର୍ଥ ବୋଲେ ନ ଯିବାକୁ ରଣେ;

କ୍ଷତ୍ରିୟ ମର୍ଯ୍ୟଦା ମୁଖେ କଳଙ୍କ ଲେପନେ

ବଳେ ନାହିଁ ହାତ ମାଗୋ ଚଳେ ନାହିଁ ବୁଦ୍ଧି

ବୀର ମୁହିଁ ଯୁଦ୍ଧ ନାମେ ଉଠେ ଆତ୍ମା କୁଦି

ସିଂହ ସମ; କିଏ ଯେହ୍ନେ ବୋଲଇ ସନ୍ତତ

ଅନ୍ତରେ ମୋ ‘‘ଉଠ, ଜାଗ, ଧର ଧ୍ୱଂସ-ବ୍ରତ ।’’

ଯେଉଁ ଦିଗେ ବାଜେ ଶତ୍ରୁ ଆକ୍ରମଣ ତୂରୀ

ନିମିତ୍ତ ମୁଁ, ଯେହ୍ନେ କେଉଁ ରଶ୍ମିର ଅଙ୍ଗୁଳି

କଢ଼ାଏ ସେ ପଥେ ମୋତେ, ବାୟା ମୋତେ କରେ

କି ଆବେଗ, କି ପ୍ରେରଣା ହୃଦେ ନାହିଁ ଧରେ

ଗଳେ ଅଶ୍ରୁରୂପେ, ଲୋମ ଉଠଇ ଟାଙ୍କୁରି

କଦମ୍ୱ କଳିକା ଯଥା ଶୁଣି ମନ୍ଦ୍ର ତୂରୀ

ଅମ୍ୱୁଦର; ପରାଧୀନ କଳିଙ୍ଗେ ବଞ୍ଚିବା

ତହୁଁ ଭଲ ନରଦେହେ ମର୍ତ୍ତେ ନ ଜନ୍ମିବା !

ସମ୍ରାଟ ବିଜୟୀ ସେନା ନାରୀର ଇଜ୍ଜତ,

କଳିଙ୍ଗ ସଭ୍ୟତା, କଳା, ଜାତିର ମହତ୍ୱ

ଲୌହ ପଦେ ପୁଷ୍ପସମ ଘୃଣାରେ ଦଳିବେ;

ନିଜ ଭାଷା ସଭ୍ୟତା ଏ ଦେଶେ ଚଳାଇବେ;

ନିରସ୍ତ୍ର କରିବେ, ବିଷଦନ୍ତହୀନ ସର୍ପ

ସମ ହେବ ନିରୁପାୟ ଜାଗି ବୀରଦର୍ପ ।

ଫଟାଇବେ ଷଡ଼ଯନ୍ତ୍ରେ ଜାତୀୟ ଏକତା

ଗ୍ରାମେ ଗ୍ରାମେ ଛାଡ଼ିଦେବେ ରୋଗ, ଦରିଦ୍ରତା ।

ବୁଣି ଦେବେ ବିଷ ସମ ଶତ କୁସଂସ୍କାର;

ଶିକ୍ଷା ନାମେ ଭୀରୁତା ସେ କରିବେ ପ୍ରଚାର,

ଯେତେ ଜାତି ପଙ୍ଗୁ, ରୁଗୁଣ, ମୂର୍ଖ, ହୀନବଳ ।

ତେତେ ହେବ ଦୃଢ଼ ଜେତା ଶାସନ-ଶୃଙ୍ଖଳ,

କିଏ ବା ମରତେ ଜନ୍ମି ହୋଇବ ଅମର ?

କ୍ରୀତଦାସ ଜୀବନରୁ ମୃତ୍ୟୁ ଶ୍ରେୟସ୍କର ।

କ୍ଷତ୍ରିୟ-ଜନନୀ ଶିକ୍ଷା ଦେଇଚ ଆବାଲ୍ୟ

ବୀରତ୍ୱ, ବରିବ ମୋତେ ଜୟ ଦେଇ ମାଲ୍ୟ ।

ତବ ଆଶୀର୍ବାଦ ମୋର ନାଶିବ ଅରିଷ୍ଟ,

ସ୍ନେହ ସଦା ଶଙ୍କା କରେ ସହସ୍ର ଅନିଷ୍ଟ

ବତ୍ସଳର; ଜନନୀ ଗୋ ଆଣ ତରବାରୀ,

ଆଣ ବର୍ଚ୍ଛା, ଢାଲ, ଖଡ଼୍‌ଗ, ପରଶୁ ମୋ କାଢ଼ି

ପିନ୍ଧାଇ ଦିଅ ଗୋ ସାଞ୍ଜୁ ଲୌହର ଉଷ୍ଣୀଷ,

ପୂଜି ନେବି ଅସ୍ତ୍ରରାଜି, ଯେସନ କୁଳିଶ

ଦୁର୍ଗାଙ୍କ ସିନ୍ଦୂର ଲାଗି ହେବେ ଅତି ଦୃଢ଼;

କଳାଘୋଡ଼ା ପରେ ଯିବି, ‘‘ବିଜୁଳି’’ ଦଉଡ଼

ନ ଥିବ ପକ୍ଷୀରାଜର, ପବନହୁଁ ବଳି;

କି ସୁନ୍ଦର ଦିଶିବ ମୁଁ ‘ବିଜୁଳି’ରେ ଚଢ଼ି

ଅସ୍ତ୍ରଧରି ଝପଟିଲେ ! ବୀରର ଜନନୀ

ଗର୍ବ କି ହେବନି ତବ ହେରି ପୁତ୍ରମଣି ?

ପଦ୍ମା—ମୋ ହୃଦୟ-ନନ୍ଦନର ପାରିଜାତ ସମ

ଉଜ୍ଜ୍ୱଳ ତୁ ସୁନ୍ଦର ତୁ ଚନ୍ଦ୍ରିକା ଯେସନ ।

ହସିଲେ ତୁ ସୁଖାମୃତେ ହୃଦ ଯାଏ ପୂରି

କାନ୍ଦିଲେ ତୁ ଲୋତକେ ମୋ ଡୋଳା ଯାଏ ବୁଡ଼ି

ସ୍ନେହେ ବୋଲ ସ୍ୱାର୍ଥ ଅବା ହୃଦ ଦୁର୍ବଳତା

ମୁରୁଛି ନ ପାରେ ପ୍ରାଣ, ଘୋଟଇ ଜଡ଼ତା ।

ବୀରମାତା ବିରହ ତୋ ନ ପାରଇ ସହି

ବିଦେଶେ ସନ୍ତାନ ତେଜି କେତେ ଅବା ଦହି

ନୋହୁଥିବେ ଆନ ମାତା ! ହୃଦ ଅନୁଭବ

ହୃଦ ଜାଣେ ଅନ୍ୟ ତାହା ଭାବେ ଅସମ୍ଭବ ।

ଫଟାଇନି ମୂର୍ଦ୍ଧନା ତୋ ପ୍ରାର୍ଥନା କରତି

ନ ଜାଣଇ ରହିଛି ମୁଁ କିପରି ବରତି !

ଝଡ଼ଭରା ଦରିଆରେ ସୁନାର ଜାହାଜ

କିପରି ତେଜିବି ଭାବି ବିଗିଡ଼େ ମଗଜ ।

ବୀରମାତା ଆଖିତଟେ ବିଦାୟ ଲୋତକ

ଦେଖିଲେ ନ ମଣ ତାରେ ଭୀରୁତା ସନ୍ତକ;

ଧୈର୍ଯ୍ୟ-ବନ୍ଧ ଭାଙ୍ଗି ଯେବେ ଝରେ ଅଶ୍ରୁଧାରା

ମଣ ତାରେ ସ୍ନେହ, ସୁଖ ଆଶିଷର ମାଳା ।

ନ ତେଜିବି ଦୀର୍ଘଶ୍ୱାସ; ଦେଶ ଜାତି ପାଇଁ

ଯାଉ ଚିତ୍ର ନିଜ ପୁତ୍ର ରଖନ୍ତୁ ସେ ସାଇଁ

ମହାବଳ ଶିଶୁ ବଜ୍ରଗର୍ଭୁଁ ଜନ୍ମ କରି

ଗଢ଼ିବି କି ତାରେ ଭୀରୁ ଶୃଗାଳ ଯେପରି ?

ବାହୁରେ ଭରନ୍ତୁ ବଳ ଦେବ ପ୍ରଭଞ୍ଜନ;

ନୟନେ ରଞ୍ଜନ୍ତୁ ବାଣୀ ଜ୍ଞାନର ଅଞ୍ଜନ;

ଇନ୍ଦ୍ରଙ୍କର ବଜ୍ର ନାଶୁ ବିପଦ ସକଳ

ଅନଳ କରନ୍ତୁ ତୋତେ ତେଜସ୍ୱୀ ନିର୍ମଳ ।

ସୁଦର୍ଶନ ରକ୍ଷାକରୁ ତୋ ଅଙ୍ଗ ପ୍ରତ୍ୟଙ୍ଗ

ରଣ ଯଜ୍ଞାନଳେ ଶତ୍ରୁ ହୁଅନ୍ତୁ ପତଙ୍ଗ ।

ଦେଶ ଲାଗି ଜାତି ଲାଗି ଅମୂଲ୍ୟ ଜୀବନ

ଢାଳେ ଯେହୁ ମର ନୁହେଁ ଅମର ସେ ଜନ ।

ମଣ୍ଡନ୍ତୁ ବିଜୟ-ଟୀକ୍କା ଲଲାଟେ ମଙ୍ଗଳା,

ତୋ ଯଶେ ଫୁଲାଉ ଛାତି କୀରତି-ମେଖଳା

କଳିଙ୍ଗ; ତୋ ଲାଗି ଧନ୍ୟ ହେଉ ମୋ ଜୀବନ

ଦିଅ ଶୁଭ ହୁଳହୁଳି ପଲ୍ଲୀବଧୂଗଣ ।

ଦିଅ ଦିଅ ହରିବୋଲ ବାଳକ ସକଳ

ଫୁଙ୍କ ଶଙ୍ଖ, ଶୁଭହେଉ ଯାତ୍ରା ମୋ ଚିତର ।

ବାଳିକାଗଣ—କଳିଙ୍ଗର ସୁନାଚାନ୍ଦ, ଘେନ ଗଳେମାଳା

ଫେରି ଶୁଭେ ପୋଛ ଆସି ଆମ ଅଶ୍ରୁଧାରା

ଚିତୁଭାଇ, ଗ୍ରାମକାଲି ଦିଶିବ ଅନ୍ଧାର

ଲାଗିବ ଦିନୁଟି ଯେହ୍ନେ ବରଷ ହଜାର

ଖେଳମେଳେ ମନ କାଲି ଆଉ ନ ଲାଗିବ

ଅପହୁଡ଼ ହୋଇ ସାରା ରାତି ବିତିଯିବ ।

ଫେର ସୁନା ଦେହେ ମନେ ଏତିକି ଜଣାଣି

ଓଳିକିରେ ଅଶ୍ରୁଧାରେ ଆମର ମେଲାଣି ।

ବାଳକଗଣ—ସକଳର ଭାଇ ତୁମେ ସକଳ ପିଅର

ରୋଗୀ ବୈଦ୍ୟ, ପ୍ରିୟପୁତ୍ର ସନ୍ତାନହୀନର ।

ଦୁଃଖୀ ସୁଖ-ପେଡ଼ି, ସୁଖୀ ଆନନ୍ଦ-ଚନ୍ଦ୍ରମା

ନାହିଁ ପରାପର ଭାବ ହିଂସା ଦ୍ୱେଷ ଜମା ।

ବୁଡ଼ାନାଉରୀର ନାବ ଅନାଥର ନାଥ

ରଙ୍କର ରତନଥାଳୀ ସକଳ ସଙ୍ଗାତ ।

ଫୂର୍ତ୍ତିହୀନ ହେବ କାଲି ଅସ୍ତ୍ର ଶିକ୍ଷାସ୍ଥଳ

ମୃତ୍ୟୁ ସରି ହେବ ପଲ୍ଲୀ ନୀରବ ନିଶ୍ଚଳ ।

ଫୁଲବନେ ନୀରବିବ ଭ୍ରମରଗୁଞ୍ଜନ

ଥମିବ ମଳୟାନିଳ କୋକିଳ କୁଜନ

ହୃଦୟ ଜାତିର ତୁମେ ଜୀବନ ଦେଶର

ତୁମ ବିନା ଧରା ସିନା ଶ୍ମଶାନ କେବଳ !!!

ତୁମ ଦେଶସେବା ଭାର ନେଲୁ ଛାତ୍ରଭାଇ

ବଞ୍ଚିବୁ ଆସିବା ପଥ ଅନାଇ ଅନାଇ ।

ଶରଦ ବାଦଲ ସରି ତୋଳି ଯଶ-ଛତି

କଳିଙ୍ଗ-ଗୌରବ ବୀର ଆସ ଆମ କତି,

ନୀମସ୍କାର, ନମସ୍କାର, ନମସ୍କାର ଭାଇ !

ଚିତ୍ର—ଏକ ନମସ୍କାର ମମ ସମସ୍ତଙ୍କ ପାଇଁ ।

ଶୀମୁକ—କଳିଙ୍ଗ କେତନ ଖେଳେ ରବିକରେ ଝଳି

ଯିବି ମୁଁ ଜାହାଜ ସାଥେ ସାହା ଚିତ୍ର-ତରୀ

ରଣ-ପାରାବାରେ, ଉଡ଼୍ର ପାଇକ କୁହାଟ

ଗଗନେ ପବନେ କିବା ମାରି ଆସେ ଛାଟ !

ଗର୍ଜ୍ଜେ ଭେରୀ ତର୍ଜ୍ଜେ ତୂରୀ ସୃଜେ ଭୂମିକମ୍ପ

ଯାନ୍ତି ଭୀରୁ ମନ୍ଥି ଧରା ରଡ଼େ ଜଗଝମ୍ପ ।

ବେନି ସେନା-ପାରାବାର ନିଶ୍ଚଳ ନୀରବ

ପ୍ରଳୟ ଝଟିକା ଆଗେ ଯଥା ବାତ ସ୍ତମ୍ଭ ।

ଏକଦିଗେ କ୍ରୂର ଝଞ୍ଜା ଆନେ ଭୂମିକମ୍ପ

ଧୂମକେତୁ ପୁଚ୍ଛତଳେ ଦେବେ ଯେହ୍ନେ ଲମ୍ଫ

ଉଜାଡ଼ି ଅବନୀ, ରକ୍ତ-ସାଗର ଉଦ୍‌ଗାରି,

ବର୍ଷି ହିଂସା, ହତ୍ୟା, ମୃତ୍ୟୁ, ଶୋକ ଅଶ୍ରୁବାରି !

Image

 

Unknown

ଦ୍ୱିତୀୟ ସର୍ଗ

 

ଶୀମୁକ—ଯେ ବୀରତ୍ୱ ପରିଚୟ କାଲି ରଣାଙ୍ଗନେ

ଦେଇଅଛୁ ପୁତ୍ରମଣି, ଚଣ୍ଡାଶୋକ ମନେ

ପଶିଛି ଆତଙ୍କ ତୀବ୍ର ବିଷଶଲ୍ୟସମ

ବୁଝିଛି ବିଜୟ-ପଥ କି ଘୋର ଦୁର୍ଗମ !

ଦଶସହସ୍ର ଆହତ ଦୁଇଗୁଣ ହତ

ଭଗ୍ନ ଖଡ଼୍‌ଗ, ଧନୁ ଗଦା ଯେସନ ପର୍ବତ ।

‘‘ତେଜସ୍କର ଅଗ୍ନିକଣା ! ବଜ୍ରର ବାଟୁଳି !

ରୁଦ୍ରକ୍ରୋଧ ବୀରଭଦ୍ର ! ମୂର୍ତ୍ତିମାନ ଗୁଳି !

କୁରୁସୈନ୍ୟେ ଘଟୋତ୍କଚ ଅଭିମନ୍ୟୁ ସମ

କିଏ ଚିତ୍ର ? ପଳୟ କି ପ୍ରଳୟ ନନ୍ଦନ ?

ମୃତ୍ୟୁ ! ଅଗ୍ନିଗିରି ସମ ଉଦ୍‌ଗାରେ ମରଣ

ଏକ ଅଙ୍ଗେ ଭୀଷ୍ମଭୀମ କର୍ଣ୍ଣାର୍ଜ୍ଜୁନ ସମ

ମନ୍ଥେ ସେନା ହସ୍ତୀ ଯେହ୍ନେ ଘଞ୍ଚ ପଦ୍ମବନ

କିବା ଝଞ୍ଜା ଧ୍ୱଂସେ ଯଥା କଦଳୀ କାନନ !’’

ବୋଲି କୁହାକୋହି ହୋନ୍ତି ଶତ୍ରୁ ସୈନ୍ୟଦଳ

କ୍ରୋଧେ ନେତ୍ରୁ ଗଳିପଡ଼େ ତରଳ ଅନଳ ।

ପୂର୍ଣ୍ଣିମା ଚନ୍ଦ୍ରମା-ଜ୍ୟୋତ୍ସ୍ନା ହାସ୍ୟେ ଯଥା ଫୁଲେ

ନୀଳ ସିନ୍ଧୁ ତଥା ଶୁଭ୍ର ବୀର ଗର୍ବେ ପୂରେ

ଉଲ୍ଲସିତ ଆତ୍ମା ମୋର ବୋଲଇ କଳିଙ୍ଗ

ଶୀମୁକର କ୍ଷାତ୍ରପୁତ୍ର ଚିତ୍ର ବୀରସିଂହ,

ପୁତ୍ରର ବିଜୟ ଜାଣ ପିତାର ବିଜୟ;

ମଧୁମାସ ମଳୟର ଜୟେ ହାସ୍ୟମୟ ।

ଚିତ୍ର—ଶୁଣି ଜନ ନିନ୍ଦାସ୍ତୁତି ଜ୍ୱଳେ ନାହିଁ ଢଳେ

ବୀର ଯେ ଜୀବନ ଢାଳେ କର୍ତ୍ତବ୍ୟ କର୍ମରେ ।

ଶିଖାଇଛ କାନେ କାନେ ଅନାସକ୍ତ କର୍ମ

ସ୍ୱଧର୍ମେ ନିଧନ ଶ୍ରେୟ ଶାସ୍ତ୍ର ଜ୍ଞାନ ମର୍ମ ।।

‘‘ପରଧର୍ମ ଭୟାବହ’’ ଏହି ମହାବାଣୀ;

ସ୍ୱକର୍ତ୍ତବ୍ୟେ ଜାଗରଣ ମନ୍ତ୍ର ଦେବ ଶାଣି ।

ଭୀଷଣୁଁ ଭୀଷଣତର କ୍ରମେ ରଣାଙ୍ଗନ

ଅମା ଅନ୍ଧକାରେ ଯେହ୍ନେ ଘୋଟିଆସେ ଘନ ।

ହସ୍ତୀ ପଲ ପରେ ଯଥା କ୍ରୂର ସିଂହବଳ

ଲଢ଼ୁଛନ୍ତି ଉଡ଼୍ରସେନା, ଜଳଇ ଅନଳ

ବାଜି ଖଡ଼୍ଗ ଖଡ଼୍ଗ ; କରି କରାଳ ହୁଙ୍କାର

ଲଢ଼ନ୍ତି କି ସିନ୍ଧୁ ବେନି ?

ଶୀମୁକ—ଉଠେ ହାହାକାର

କରୁଣ ମୁମୂର୍ଷୁ କଣ୍ଠଁ; ଅଶ୍ୱଖୁର ଧୂଳି

ଆକାଶ ଆବରି ଅଛି ଯେସନ କୁହୁଡ଼ି

ଶୀତକାଳେ; ନରମୁଣ୍ଡ ଛିଣ୍ଡେ ଗଣ୍ଡା ଗଣ୍ଡା

ବହଇ ଶୋଣିତ ଧାରା, ରକ୍ତାଶୋକ ଧଣ୍ଡା

ଗଳାରୁ ଖସଇ ଯଥା; ହୁଅ ସାବଧାନ

ରଖିବା ପରାଣ ପଣେ କଳିଙ୍ଗ ସମ୍ମାନ

ଆଜି ରଣେ, ହେର, ବୀର ଅଶ୍ୱ ଝପଟାଇ

ଧାଇଁଚି କେ ଆମ ଲକ୍ଷ୍ୟେ !

ସେନାପତି—ଜୀବନ ବଞ୍ଚାଇ

ନେବା ଆଶା ଛାଡ଼୍‌ ଆଜି; ମହାବଳ କରୁ

ଖସିବ ବୃଷଭଭୀରୁ ? ଅସ୍ତ୍ର-ନଖ ଚଡ଼ୁ

ଦାଗିବି ସର୍ବାଙ୍ଗେ ତୋର; ନାମ ତୋ ଶୀମୁକ !

କି ଯୁଝିବୁ ହୀନ ବଳ କାସାର ଶାମୁକ

ତିମି ସାଥେ ।

ଶୀମୁକ—ବୃଥା କିମ୍ପା ଦେଖାଉ ବଡ଼ିମା !

ଶାମୁକ ଅନ୍ତରେ ଚିହ୍ନ ମୁକ୍ତାର ମହିମା,

ମୂଲ୍ୟ ତାର !

ସେନାପତି—ଜାଣେ ତୁହି ଶିଳ୍ପୀ-କୁଳମଣି

କଳିଙ୍ଗେ, ସମରକ୍ଷେତ୍ର ଶିଳ୍ପାଗାର ମଣି

ଆସିଛୁକି ମତିଭ୍ରମେ ? ସମର-ନିକଷେ

ତୋ ବୀରତ୍ୱ-ସ୍ୱର୍ଣ୍ଣରେଖା ପଡ଼ିନାହିଁ ଯଶେ

ମଣ୍ଡିବାକୁ ଇତିହାସ; ସଙ୍ଗେ ତୋର କିଏ ?

ମନୋହର ସ୍ୱରଗର ସୁନାଚମ୍ପା କି ଏ

ସକାଳ ଶିଶିରେ ସ୍ନାନୀ ବାଳରବି କରେ

ହିଲ୍ଲୋଳତ ବିଜୁଳିର ଝଳି ଯେହ୍ନେ ଝରେ

ଅଙ୍ଗୁ ତାର; ବିଷ୍ଣୁ ତେଜ ସେ କି ମୂର୍ତ୍ତିମାନ ?

ଜଗତର ଶକ୍ତି-କୋଷ ? କ୍ଷେତ୍ରିୟ ଗୁମାନ

ସଦେହ କି ? ବୀରବେଶେ ରାମଭଦ୍ର ପରି

ଦବି ଦବି ଯାଏ ପୃଥ୍ୱୀ କ୍ଷାତ୍ର ତେଜେ ଡରି

ତୃଣ ତୁଲ୍ୟ ତୁଳୁଛି ସେ ନୟନ ଘୂରାଇ

ରଣାଙ୍ଗନ, ଇକ୍ଷୁଦଣ୍ଡ ଶୁଣ୍ଢରେ ପୂରାଇ

ଯଥା ହସ୍ତୀ; ଧରେ ଅସ୍ତ୍ର କାଳଦଣ୍ଡ ପରି

ମନ୍ଥେ ମମ ସୈନ୍ୟ ରାଶି କ୍ଷତ୍ରିୟ-କେଶରୀ ।

ଛେଦିଯାଏ ଶତ ମୁଣ୍ଡ ଦାତ୍ରେ ଯଥା ଧାନ୍ୟ

ଏ କି ଶକ୍ତି ? କୃଷ୍ଣ ଏ କି ବାଲ୍ୟେ ଅସାମାନ୍ୟ ?

ଏ କି ଚିତ୍ର ପୁତ୍ର ତୋର ? ଧ୍ୱଂସ ଦୂତସମ

ବଧିଚି ଯେ କାଲି ଆମ ସୈନ୍ୟ ଅଗଣନ ?

ରକତ କାଢ଼ିଚି ଯେହୁ ଅଶ୍ରୁର ବଦଳେ

ଚକ୍ଷୁ ଚିରି ? ଅସାଧ୍ୟ କି ସାଧେ ମନ୍ତ୍ରବଳେ ?

କିବା ଆଚରି ତପସ୍ୟା ଲଭିଚି କି ବର ?

ଖାଇଚି ଅକାଟ ? ଅଙ୍ଗ କରିଚି ବଜର

କିବା ଦୁର୍ଯ୍ୟୋଧନ ସମ !

ଚିତ୍ର—ରେ ନୃଶଂସ ମୂର୍ଖ

ସିଂହ ବିଳେ ପଶି କିରେ ଲଭିଛୁ ଆତଙ୍କ

ଶିବା ସମ ? କ୍ରୂର ସେହି ଶଶ ଶିଶୁ ଆଶେ

ପଶେ ଗର୍ତ୍ତେ, ଆଚମ୍ୱିତେ କେଶରୀ ଝିଙ୍ଗାସେ

ଚମକଇ ଭୟେ ଯଥା ସ୍ଥାଣୁ ପରି ଥମି;

କିନ୍ତୁ ସିଂହ ଭକ୍ଷକ ସେ ଛାଡ଼ଇ କି କ୍ଷମି

ପଥବଣା ଶୃଗାଳକୁ ? ରଣ କଣ୍ଡ ଆଜି

ଥଣ୍ଡା ହେବ ଖଣ୍ଡା ଧାରେ, ଶାଣେ ଦେଇ ମାଜି

ଆଣିଛି ରେ;

ସେନାପତି—ଯାଅ ଦୟା, ଯାଅ ଗୋ ମମତା,

ଯାଅ ସନ୍ତାନ ବାତ୍ସଲ୍ୟ, ଯାଅ ଗୋ ସମତା;

ବନ୍ଧୁତା କୋମଳ ବକ୍ଷେ କରି ପଦାଘାତ

ବାନ୍ଧି ଶାନ୍ତି ନାଗଫାଶେ ସରଜି ଉତ୍ପାତ

ସୈନିକ ହୁଅଇ ଜଡ଼, ପାଷାଣ ଅନ୍ତର,

ରାଜା ଯଶ-ଛତ୍ର ତୋଳି ଯୁଗ ଯୁଗାନ୍ତର;

ସୈନିକ ପ୍ରେମିକ ନୁହେଁ, ଗୃହୀ ସେ ନୁହଇ

ନିରାଶ୍ରୟ ପଶୁ ସେ ଯେ ପାଟି ନ ଫିଟଇ;

ମୂକ ପରି ପାଳିବ ସେ ନିଷ୍ଠୁର ଆଦେଶ

କର୍ତ୍ତବ୍ୟର; ସ୍ନେହ ମାୟା ଧରି ବୀରବେଶ

ତେଜିବ ସେ; ପ୍ରେମଭରା ସୈନିକ ହୃଦୟ

ରଣାଙ୍ଗନେ ଦ୍ରୌବଲ୍ୟର ଦିଏ ପରିଚୟ !!

ଯେତେ ଯେ କାଟଇ ଶିର ରାକ୍ଷସ ନିଷ୍ଠୁର

ପେଡ଼ି ହୃଦ ଲୁହ, ଲହୁ ଝରାଏ ବୁକୁର

ଜଘନ୍ୟ ତସ୍କର ସାଜି, ତେତେ ତା ଉନ୍ନତି

ଧନ୍ୟ ଧର୍ମ, ନ୍ୟାୟ ! ଧନ୍ୟ ବିଚାର ପଦ୍ଧତି

ଯାଅରେ ପ୍ରବୃତ୍ତିମାଳ ଶିରୀଷ କୋମଳ

ଯାଅ ଗୋ ଅହିଂସା ତେଜି ଚକ୍ଷୁ-କୁଟୀତଳ

ଲାଜେ ଲାଜେ; ଆସ ହିଂସା, ଆସ ନିର୍ମ୍ମମତା,

ଆସ ରୁଦ୍ର, ଆସ ମନ୍ଦ୍ର, କ୍ରୂର ବର୍ବରତା,

ଆସ ଝଞ୍ଜା, କ୍ରୋଧଦିଗ୍‌ଧ ରୋଷ-କଷାୟିତ

ଆସ ଚଣ୍ଡ ଅଗ୍ନ୍ୟୁତ୍ପାତ; ଭୂକମ୍ପ ସହିତ

ଆସ ବଜ୍ର, ଆସ ବିଦ୍ୟୁତ୍‌ ଥରାଅ ହୃଦୟ

ଛିଣ୍ଡାଅ ବାତ୍ସଲ୍ୟ-ଡୋରି । କର ପଶୁମୟ

ଦୁର୍ଦ୍ଦାନ୍ତ ଦାନବ ସମ; କରି ରକ୍ତେ ସ୍ନାନ

ରଣ-ଯଜ୍ଞେ ଶତ୍ରୁ-ରକ୍ତ-ଘୃତ ତୀବ୍ରେ ପାନ

କରିବି ମୁଁ ଅଗ୍ନି !! ହେଇ ସମ୍ଭାଳ, ସମ୍ଭାଳ

ଗଲା ବର୍ଚ୍ଛା;

ଚିତ୍ର—କାଳ ତା’ର ଏ ମୋ ଲୌହ ଢାଲ

ସେନାପତି—ନାହିଁରେ ବାଳକ ଚିତ୍ର ରକ୍ଷା ତୋ ଏଥର

ଏ ରୁଦ୍ର ପରଶୁ ଚୋଟୁଁ;

ଚିତ୍ର—ହେଇ ତିନି ଗଡ଼

କଲି ତରବାରୀ ଧାରେ;

ଶୀମୁକ—ହାୟ ! ହାୟ ! ହାୟ !

କି ହେଲାରେ ଗଳାମାଳି, କିମ୍ପା ନିରୁପାୟ

ହୋଇରେ ପଡ଼ିଲୁ ତଳେ ଛିନ୍ନ ଡାଳୀ ପରି ?

ଓହୋ ! ରେ ଦାନବ !

ଶତ୍ରୁ ସୈନିକ—ପୁତ୍ର ପଡ଼ିଲାଣି ଢଳି

ନିଜ ଅସ୍ତ୍ରାଘାତେ ! କର ବନ୍ଦ ରକ୍ତ ସୁଅ

ନୋହିଲେ ବଞ୍ଚିବ ନାହିଁ ଏ ଆଘାତୁଁ ପୁଅ !!

କର ବୈଦ୍ୟବୃତ୍ତି !! ତେଜ ସୈନିକର ବେଶ !!

ତୂଳୀରେ ଆଙ୍କ ନୋହିଲେ ଏ ଚିତ୍ର ବିଶେଷ

ବସି ଦୂର ତରୁ ମୂଳେ !!!

ଶୀମୁକ—ନୀଚ ପରିହାସ !

ଶତ୍ରୁ ସୈନିକ—ଦେଖ ଆମ ସୈନ୍ୟଦଳେ ଆନନ୍ଦ ଉଲ୍ଲାସ

ଚିତ୍ର ପାତେ !

ଶୀମୁକ—ପିତୃ କ୍ରୋଧ-ବହ୍ନି ଉଠେ ଜଳି

ସେନାପତି—କ୍ଷାତ୍ରାକାଶେ ଚିତ ତୋର ଚଣ୍ଡ ରବି ଭଳି

ନିର୍ଭୀକ ଯେସନ ସିଂହ ! ପରିପନ୍ଥି ଚାଟୁ

ଲଭେ ଯେହୁ ଧନ୍ୟ ସେହୁ; ସମର-ଉତ୍ପାତୁଁ ।

ଛାଣି ସେ ନେଇଚି ଯଶ-ମଧୁର ଅମୃତ

ମନ୍ଥି ଅସ୍ତ୍ର-ଖୁଆ ଦଣ୍ଡେ; ନୁହେଁ କୃତ କୃତ୍ୟ

ମୋ ଆତ୍ମା ପତନେ ତାର, ଚିତ୍ରେ ଜିଣିବାର

ଗଉରବ ଲଭିନାହିଁ !!

ଶୀମୁକ—ଘେନ ପୁରସ୍କାର

ରେ ସୈନିକ, ଉପହାସ ରସିକ ପ୍ରବର

ନୁହେଁ ବାକ୍ୟଯୁଦ୍ଧ, ଏହା ସଂଗ୍ରାମ ଅସ୍ତ୍ରର;

ଘେନ ପିତୃକ୍ରୋଧ କରୁଁ ଖଡ୍ଗମାଳା ଗଳେ

ସେନାପତି—ମୃତ ସଇନିକ ଛାର ଶୀମୁକ ଅସ୍ତ୍ରରେ !

ଘେନ ପ୍ରତିଶୋଧ,

ଶୀମୁକ—ମୁଣ୍ଡଲୋଟେ ଧୂଳିତଳେ

ଲୋହିତ ମନ୍ଦାର ସମ ତିନ୍ତି ରକତରେ;

ସେନାପତି, ମୋ ଉପରେ ତୁମ ପ୍ରତିଶୋଧ

ହାଣିଲା ତୁମରି ମଥା କରି ଯେହ୍ନେ କ୍ରୋଧ !

କି ଆନନ୍ଦ ମାରି ମୋର ? ଅଳ୍ପ ଦିନ ପରେ

ଭେଟ ହେବ ହତ ସଙ୍ଗେ ହନ୍ତାର ସ୍ୱର୍ଗରେ !

ବନ୍ଧୁଭାବେ, ନଥିବ ଏ ଅସ୍ତ୍ର-କ୍ରୂର ବେଶ

କ୍ରୋଧ ହତ୍ୟା-ହାହାମୟ ଶମଶାନ ଦେଶ ।

କାଳ ବ୍ୟବଧାନ ବିନା କିବା ଭେଦ ଆଉ

ମୃତ ଓ ଜୀବନ୍ତ ମଧ୍ୟେ ? ଏକେ କାଳ-ରାହୁ

ଗ୍ରାସି ଆନ ଚନ୍ଦ୍ରେ ଯେହ୍ନେ କ୍ରୂର ବଜ୍ର-କର

ବଢ଼ାଉଛି ଧୀରେ ଧୀରେ ! ରୋଗ ଦୂତ ଦଳ

ପଢ଼ନ୍ତି ପୀଡ଼ିତ ଆଗେ ମୃତ୍ୟୁ ନିମନ୍ତ୍ରଣ-

ପତ୍ର ଶୁଷ୍କ କ୍ଷୀଣ ସ୍ୱରେ ! ମିଶଇ ଜୀବନ-

ନଦୀ ମୃତ୍ୟୁ-ସିନ୍ଧୁ ଗର୍ଭ ଅନ୍ଧକାର ନୀରେ

ଚଳଇ ମୁଁ ସେହି ଲକ୍ଷ୍ୟେ ମିଶିବି ଅଚିରେ

ଚୁମ୍ୱକର ଆକର୍ଷଣେ; ଦେଶ ଲାଗି ପ୍ରାଣ

ସଇନିକ ଦେଲେ ଢାଳି ଲଭଇ ନିର୍ବାଣ ।

ସେନାପତି, ବିଶ୍ୱାସ ମୋ ଅବଶ୍ୟ ସ୍ୱରଗେ

ହେବ ଭେଟ ତୁମ ସଙ୍ଗେ ପରମାତ୍ମା ଅଙ୍ଗେ !

ଡଗରା—(ଲୋହିତ ସମରକ୍ଷେତ୍ର, ଶୋଣିତ-ସାଗର

ସରି ଦିଶେ ପୂରି ଅସ୍ତ ରବି ରକ୍ତ କର

ସଂଗ୍ରାମର କୋଳାହଳ ଯେସନ ତୋଫାନ

ଉଚ୍ଛୁଳାଏ ରକ୍ତାର୍ଣ୍ଣବ, ଖେଳନା ସମାନ

ରଣ-ଲକ୍ଷ୍ମୀ କରୁ-କାହିଁ ପଡ଼ନ୍ତି ସଇନ

ମରି, ଜଳଧାରୁ କୂଳେ ଡେଇଁ ଯଥା ମୀନ ।)

ହାରଜିଣା ନାହିଁ କା’ର ଆଜି ରଣାଙ୍ଗନେ

ମହାବଳ ସଙ୍ଗେ ସିଂହ ସମାନ ଯେସନେ !

ଆସେ ରାତ୍ରି, ଶୁଣ ଶଙ୍ଖ, ହେର ହେ କେତନ,

ଶତ୍ରୁ ମିତ୍ର ସୈନ୍ୟଗଣ, ବନ୍ଦ କର ରଣ ।

ଶୀମୁକ—ସହସା ଝଟିକାପୂର୍ଣ୍ଣ ସମର-ସାଗର

ଯେସନ ଲହରୀହୀନ ନୀରବ ନିଶ୍ଚଳ !

ଶଙ୍ଖ, ବଂଶୀ, ଘଣ୍ଟା ସ୍ୱନେ ଥମେ ଭେରୀ ତୂରୀ

ରଣାଙ୍ଗନ-ପାତ୍ରେ ଘନ ନିର୍ଜ୍ଜନତା ପୂରି

ଆସେ ଯେହ୍ନେ ! ଆସେ ରାତ୍ରି ମହା ଭୟଙ୍କରୀ

ବାଦଲ-କବରୀ ଜାଳେ ଅମ୍ୱର ଆବରି

ଦ୍ରୁତପଦେ, ଶୁଭେ ଝଡ଼ ନିଃଶ୍ୱାସ ପ୍ରଶ୍ୱାସ

କଳା ମୁଖେ ଟହ ଟହ ବିଜୁଳିର ହାସ ।

ବଜ୍ର କଣ୍ଠେ ଗର୍ଜେ ମହା ପ୍ରଳୟର ଗାନ

ଭୟେ ସାରା ବିଶ୍ୱ ମୁଖ ଦିଶେ ଯେହ୍ନେ ମ୍ଳାନ ।

ରଜନୀ ଫୁତ୍କାରେ ମୁଖୁଁ ଜମାଟ-ଅନ୍ଧାର

ବିଷ ସିନ୍ଧୁ ଫେନ ସମ; ପେଚକ ଚିତ୍କାର

ଶୁଣି କି ଶଙ୍କାରେ ଯେହ୍ନେ ବିଶ୍ୱ ବକ୍ଷ ଥରେ

ହଜେ ଯେହ୍ନେ ବସୁନ୍ଧରା ଅନ୍ଧାର-ସାଗରେ

ବିଜୁଳି ଚମକେ ପୁଣି ଜାତ ସୃଷ୍ଟି ନବ

ମିଶଇ ପ୍ରଳୟ ତମେ ! ଚଣ୍ଡୀର ତାଣ୍ଡବ

ଗହଳ ଅନ୍ଧାର ମଞ୍ଚେ, ହୃଦୟେ ମୋହର

ପ୍ରଳୟ-ଅନ୍ଧାର ଶତଗୁଣେ ତୀବ୍ରତର !!!

Image

 

ତୃତୀୟ ସର୍ଗ

 

ଚଣ୍ଡାଶୋକ—ପ୍ରଳୟ ଝଟିକା ଯଥା ନାରୀକେଳ ବନେ

ଝାଡ଼ି ଝାଡ଼ି ଧକ୍କା ମାଡ଼େ ବହୁ ଫଳ କ୍ଷଣେ

ଗଡ଼ାଏ ବର୍ତ୍ତୁଳ ଶିଳା ସମ ଗୋଟି ଗୋଟି

କେତେ ନର ମୁଣ୍ଡ ତଥା ପଡ଼ିଛି ହେ ଲୋଟି

ନିରାଶ୍ରୟେ, ଛିନ୍ନହସ୍ତ, ଛିନ୍ନପଦମାନ

ଝୁଣ୍ଟି ପଥେ ଚମକଇ ଅନ୍ଧକାରେ ପ୍ରାଣ ।

ମସାଲ ଆଲୋକ ତେଜି ଦେଖ ହେ ସର୍ଦ୍ଦାର

ନାହିଁ ସ୍ଥାନ, ନାହିଁ ଯହିଁ ମଣିଷ ମୁର୍ଦ୍ଦାର ।

ନିଜ ରକ୍ତେ ଯାନ୍ତି ସଢ଼ି କୁଢ଼ କୁଢ଼ ମଡ଼ା

ଶୃଗାଳ ସଙ୍ଗତେ ଶ୍ୱାନ ଖେଳଇ ଟାପରା !

ପୋଷ ପୋଷ ଅଶ୍ରୁ ଜଳ ନେତ୍ରୁଁ ପଡ଼େ ଗଳି

ଅନ୍ତରାତ୍ମା କି ବିଷାଦେ ଦପ ଦପ ଜଳି

ପୋଡ଼ିଯାଏ, କୁହୁଳଇ କି ଅନ୍ୟାୟେ ହିଆ

ଏତେ ହତ୍ୟା ! ଏତେ ପାପ ଆଚରିଲି କିଆଁ ?

ଦୟା ନଦୀ ପୁଣ୍ୟ ତୀରେ ବୁଦ୍ଧି ଶୂନ୍ୟ ସ୍ୱନେ

ଦଧିଚିର ତ୍ୟାଗ ଯହିଁ ହୃଦ ଭରେ ଧର୍ମେ ?

ସର୍ଦ୍ଦାର—ହତ୍ୟା ନୁହେଁ ପାପ, ରାଜା, କ୍ଷତ୍ରିୟ ଧରମ;

ଚଣ୍ଡାଶୋକ—ହାହାକାରେ ଆତ୍ମା, ଭସ୍ମ ହୁଅଇ ମରମ

କା’ର ତୀବ୍ର ବିଷବାଣେ ? କିବା ଅନୁଭବି

ପ୍ରାଣ କି ବ୍ୟାକୁଳ ହୁଏ । ଚିତ୍ତଯାଏ ଦବି;

ମନ ପ୍ରଫୁଲ୍ଲତା-ଫୁଲ କାଟେ କେଉଁ ପୋକ ?

ଅଶୋକ ଅନ୍ତରେ କେହ୍ନେ ପ୍ରବେଶିଲା ଶୋକ ?

ଅକ୍ଷୟ, ଅବ୍ୟୟ ଆତ୍ମା ଅଜର ଅମର,

ଅବଧ୍ୟ, ଅଦାହ୍ୟ, ନିତ୍ୟ ହନ୍ତା ଓ ହତର

ମଧ୍ୟେ ଏକ ନାହିଁ ମାରେ ଅନ୍ୟ ନାହିଁ ମରେ

ଦେହବସ୍ତ୍ର ବଦଳାଏ ମୃତ୍ୟୁ ଜନମରେ

ଅମୃତ ଆତ୍ମାର, ସବୁ ବୁଝଇ ମାନସ

ଶୁଷ୍କଜ୍ଞାନେ ନ ଭୁଲଇ ହୃଦୟ ସରସ ।

ଅନ୍ତରତଳ ପାତଳ ପର୍ଦ୍ଦା ତୋଳି ଧୀରେ

କିଏ କହେ ଭାଙ୍ଗି ଯେହ୍ନେ ବଜ୍ର ମୋର ଶିରେ

‘‘ମାନବ ତୁ ? ରାଜା ତୁହି ? ଧିକ ତୋ କରମ !

ଧିକ କ୍ଷାତ୍ରଧର୍ମ ତୋର ! ପରରାଜ୍ୟ ଧନ

ଲୁଟୁ ଖଣ୍ଟସମ ହରୁ ପର ସ୍ୱାଧୀନତା

ଏ କରମୁଁ ଶତଗୁଣେ ଶ୍ରେୟଃ ନିଷ୍କ୍ରିୟତା;

ଏକ ଆତ୍ମା ସୃଜିବାର ନାହିଁ ତୋ ଶକତି

ଧ୍ୱଂସୁ ଲକ୍ଷ ଆତ୍ମାଧାରୀ ! ବରୁ ଅଧୋଗତି !

କ୍ଷତରୁ କରଇ ରକ୍ଷା କ୍ଷତ୍ରିୟ ପ୍ରବର

କ୍ଷତ ନିଜେ ଖୋଳେ ନାହିଁ ନିର୍ଦ୍ଦୋଷ ଜନର ।’’

ସର୍ଦ୍ଦାର—ରାଜ୍ୟଲାଭ କି ଆନନ୍ଦ ! ଚକ୍ରବର୍ତ୍ତୀ ରାଜା

ଦୁନିଆର ପ୍ରଭୁ ସମ, ବିଜୟର ବାଜା

ବାଜିଲେ ହୃଦୟ-ନଦୀ ଉଠଇ ଉଚ୍ଛୁଳି

ଆନନ୍ଦ-ଜୁଆରେ, ସବୁ ବୀରତ୍ୱ ଚାତୁରୀ

ରଣାଙ୍ଗନଯୋଗୁଁ ସିନା, କ୍ଷତ୍ରିୟ ମହତ୍ତ୍ୱ

ସଂହାରିଲେ କୋଟିଶତ୍ରୁ, ରାଜାର ରାଜତ୍ୱ

ଧନ୍ୟ ଧନ, ଜନ, ବଳ କ୍ଷମତା ବୁଦ୍ଧିରେ

ନୃପତି ଚରଣ ଶୋଭେ ଦାସ ପ୍ରଜାଶିରେ !

ସହସ୍ର ସାମନ୍ତ ଶିର ମଣିରେ ଭାସ୍ୱର

ହେଲେ ରାଜା ପାଦତଳ ଗୌରବ ରାଜ୍ୟର !

ଶତ୍ରୁନାରୀ ଗଳୁଁ ଖସୁ ରତ୍ନହାରମାନ

ଶରଦ ବିଜୁଳି ଭଳି; ହେଉ ଶମଶାନ

ଶତ୍ରୁ ରାଜ୍ୟ, ବଞ୍ଚୁ ଯୋଗ୍ୟ, ଶ୍ରେଷ୍ଠ ସେ ଭୂତଳେ

ବୀରଭୋଗ୍ୟା ବସୁନ୍ଧରା,

ଚଣ୍ଡାଶୋକ—ତରବାରୀ ବଳେ

ଯେ ଜୟ, ସେ ଜୟ ନୁହେଁ, ପ୍ରଜା ବିପ୍ଳବର

ଶାସନ-ଶୃଙ୍ଖଳ ଯେବେ ଶିଥିଳ ହୁଅଇ

ଦୁର୍ବଳ ରାଜାର କରେ, ବଢ଼େ ପ୍ରଜାବଳ,

ଅହିଂସା ବିଜୟ ଜାଣ, ବିଜୟ ଅସଲ !

ଏକେ ଦେହ, ଆନ ବଳେ ଜିଣାହୁଏ ମନ;

ନର ନୁହେ ବ୍ୟାଘ୍ର, ସିଂହ, କ୍ରୂର ସର୍ପ ସମ

ଆକ୍ରମିବ ଅବିଚାରେ, ବଧିବ ସହସ୍ର

ସ୍ୱାର୍ଥସିଦ୍ଧି ଲାଗି ରାଜା ନାହିଁ ଧରେ ଅସ୍ତ୍ର ।

ସର୍ଦ୍ଦାର—ମହାରାଜ, ଦେଖେ ଆଜି କି ପରିବର୍ତ୍ତନ !

ଚଣ୍ଡାଶୋକ- ସ୍ୱେଚ୍ଛାଚାରୀ ନରପତି ଭ୍ରୁକୁଟି ଚାଳନ

ଧ୍ୱଂସିଛି ଏ ସ୍ୱର୍ଣ୍ଣଭୂମି, ସୃଜିଛି ନରକ

ବଜ୍ରେ କରିଅଛି ବଜ୍ର ଅସ୍ତ୍ରର ପରଖ;

କି ଭୀଷଣ କି ନିଷ୍ଠୁର ତବ ଉପଦେଶ !

ଅଗଣିତ ପ୍ରଜା ମମ ଧୂଳି ତଳେ ଶେଷ

ଶଯ୍ୟା ବରିଛନ୍ତି କେହ୍ନେ ହେର ହେ ସର୍ଦ୍ଦାର,

କି ଅନ୍ୟାୟ ନ କରଇ ଖିଆଲେ ସର୍କାର !

ପ୍ରଜା ରକ୍ତେ ନରପତି ଆମୋଦ ଉତ୍ସବ

ଅସ୍ଥିମାଳେ ଗଢ଼ା ସୌଧ; ସକଳ ବିଭବ

ପ୍ରଜାଲାଗି, ଦେଇ ତାରେ ଧ୍ୱଂସମୁଖେ ଠେଲି

ମଞ୍ଚାପରେ ହସେ ରାଜା, ଅସ୍ତ୍ରର ପାଚେରୀ

ଘେରାଇ ରହେ ସେ ନିଜେ, ଆତ୍ମସୁଖ ପାଇଁ

ଗଣ୍ଡା ଗଣ୍ଡା ପ୍ରଜାମୁଣ୍ଡ ଦିଅଇ ଗଡ଼ାଇ

ରଣାଙ୍ଗନେ;

ସର୍ଦ୍ଦାର—ଆତ୍ମସୁଖ ତହିଁକି ରାଜାର ?

ପର ମୁଲକ ଶୋଷଣେ ବଢ଼ଇ ପ୍ରଜାର

ଧନ, ମାନ, ଶକ୍ତି ଆଦି; ପ୍ରଜା ତୁଷ୍ଟି ପାଇଁ

ସୁରାଜା ସାଧଇ ସର୍ବ;

ଚଣ୍ଡାଶୋକ—ମିଥ୍ୟା ମନ୍ତ୍ର ଗାଇ

ହୁରି କଲେ ପ୍ରଜାକୁଳ, ସତୀ ବଇଦେହୀ

ତେଜିଲେ ଶ୍ରୀରାମ ସତ୍ୟେ ଅର୍ଦ୍ଧଚନ୍ଦ୍ର ଦେଇ;

ସୀତା ନାରୀ ! ଗର୍ଭବତୀ ! ପ୍ରିୟା ! ନିଜ ପ୍ରଜା !

ତାଙ୍କ ସୁରକ୍ଷଣପାଇଁ କିସ କଲେ ରାଜା ?

ଖିଆଲେ ମୁଁ ନ ଟଳଇ,

ଆମ ପୁଷ ମାସେ

ଅନ୍ଧ ହୋଇ ରହିବା କି ଅନ୍ୟ ସର୍ବନାଶେ

ଘୃଣ୍ୟ ସ୍ୱାର୍ଥପର ଭଳି ? ଜଘନ୍ୟ ତସ୍କର

ସାଜିବାଠୁଁ ଶତଗୁଣେ ମୃତ୍ୟୁ ଶ୍ରେୟସ୍କର ।

ଦଣ୍ଡେ ରାଜା ସୁବିଚାରେ ପ୍ରଜା ଦୋଷମାନ

ଦଣ୍ଡନ୍ତି ରାଜାର ଦୋଷେ ପ୍ରଭୁ ଭଗବାନ ।

ପର ରକ୍ତ ପାନ କରି ହେବା ମାଛି, ଟିଙ୍କ

ଗଉରବ ତିଳେ ନାହିଁ ଲଭେ ସଇନିକ;

ରାଜା ଶାସୁ ନିଜ ରାଜ୍ୟ ପ୍ରଜାର ମତରେ

ବଳିଦେଉ ଆତ୍ମସୁଖ ସକଳ ହିତରେ;

ଯେ ଉପାୟେ ଅଧିକାଂଶ ପ୍ରଜାଙ୍କ ମଙ୍ଗଳ

ସେ ଉପାୟେ ଚାଳୁ ରାଜା ଶାସନର କଳ;

ପ୍ରଜାର ଖିଆଲ ଯଦି ଆଦର୍ଶ ଭାଙ୍ଗଇ

ତେଜେ ସିଂହାସନ ପଛେ ନାହିଁ ପଡ଼େ ନଇଁ

ସୁରାଜା, ହରାଇ ଆତ୍ମା ଜଗତ ଲଭିବା

ଜନ ଏ ସଂସାରେ ସମ ଥିବା ଓ ନ ଥିବା ।

ଭିନ୍ନ ଦେହ ଏକପ୍ରାଣ ସକଳ ଅନ୍ତରେ

ପ୍ରିୟ ଭାଇ ଆମଲୋକେ, ଯଥା ଶତ୍ରୁନରେ;

ସର୍ଦ୍ଦାର—(କଳିଙ୍ଗ ଦେବତାଭୂମି, ପବିତ୍ର ପରମ

ଯେସନେ ବୈକୁଣ୍ଠ; ଆଜି କି ପରିବର୍ତ୍ତନ

ରାଜାଙ୍କର, ତାର ଧୂଳି ମଧୁର ପରଶେ

ଏ କି ଦେଶ ? ପାଷଣ୍ଡ ବି ସାଧୁ ହୋଇ ବସେ ।

କାହିଁ ଚଣ୍ଡାଶୋକ ବୌଦ୍ଧ ସନ୍ନ୍ୟାସୀ ଶିକାରୀ

ମୂର୍ଖ, ଗର୍ବୀ, ଅହଂକାରୀ, କ୍ରୂର, ଅତ୍ୟାଚାରୀ ?)

ଅନ୍ଧାର, କଳାମୁଗୁନି ପାହାଡ଼ ଯେସନ

ଦୁର୍ଭେଦ୍ୟ, ଦୁର୍ଗମ, ଦେବ ସର୍ବ ଅଙ୍ଗ ମମ

ଚୂରି ଯେହ୍ନେ ! ଆଉ ରାଜା ପାଦ ନ ଚଳଇ;

ଆକାଶଟା ଛିଡ଼ା ଯେହ୍ନେ ଅଜାଡ଼ି ପଡ଼ଇ

ଶିରେ ମୋର ! ଗୋଡ଼ ଯେହ୍ନେ ଭିଡ଼େ କେ ପଛରୁ

ସେମାନ ହେଲାଣି ଶାଳ ଖମ୍ବ ସମ ଗରୁ !

ଚଣ୍ଡାଶୋକ—ଏକୁଟିଆ ତାରା ଭଳି ସୁଗଭୀର ନୀଳେ

ଆକାଶର, କିବା ଶ୍ୟାମା କାନନିକା ଶିରେ

ଏକସ୍ୱର୍ଣ୍ଣ ପୁଷ୍ପସମ, ଦୂରେ-ଅତି ଦୂରେ

ଘୋର ଅନ୍ଧକାର ଚିରି ଜଳେ କା’ର ପୁରେ

ଦୀପଶିଖା ଥରି ଥରି ମୃଦୁ ସମୀରଣେ

କନକ ବିଜୁଳି ଝଳି ମଧୁର ନର୍ତ୍ତନେ

ଡାକେ ଯେହ୍ନେ । ଯିବା ସେହି ଲକ୍ଷ୍ୟେ ସରଦାର

ସର୍ଦ୍ଦାର—ନୁହେଁ ନିରାପଦ ରାଜା, ସେ ଥାନେ ଯିବାର

ଶତ୍ରୁରାଜ୍ୟ ! ଦେହରକ୍ଷୀ ସୈନ୍ୟ ଯେ ନାହାନ୍ତି,

ମାଡ଼ପଡ଼େ ଚଉଦିଗୁଁ ମସୀ କୃଷ୍ଣରାତି !

ଛାମୁଙ୍କର ଶ୍ରୀଅଙ୍ଗକୁ ବାଧିବଣି ବଡ଼

ବାଘ-ଭାଲୁ-ହାତୀ-ପୂର୍ଣ୍ଣ ପାହାଡ଼ ଜଙ୍ଗଲ,

ଚଣ୍ଡୀ କିବା ଚିରୁଗୁଣୀ ଆଲୁଅ ଜାଳଇ

ଏ ବେଳେ ବାଟୋଇ ଯଦି ହାବୁଡ଼େ ପଡ଼ଇ

ପୁଡ଼ାତଳେ ଯିବ ଗଳି, ତା’ପରେ ମରଣ

ଜାଣୁ ଜାଣୁ କରଇ କେ ବିପଦ ବରଣ ?

ଚଣ୍ଡାଶୋକ—ନୃପତି କ୍ଷତ୍ରିୟ ! ବୀର ! ନ ଡରେ ମରଣେ

ବିପଦ କି ଛାର ! ଲୋଟେ ପ୍ରବଳ ଚରଣେ !

କରେ ମାଂସପେଶୀ ଦୃଢ଼, ଧୈର୍ଯ୍ୟ ଦିଏ ଶାଣି

କୁସୁମ-କୋମଳ ପ୍ରାଣେ,

ଶୌର୍ଯ୍ୟ ବୀର୍ଯ୍ୟ ବାଣୀ

ଅଧରେ ଦିଅଇ ଭରି, ବୀରତ୍ୱ ଶିକ୍ଷକ

ବିପଦ, କରଇ ପଣେ ବଜ୍ରସମ ବକ୍ଷ

ବାଧା, ବିଘ୍ନ, ବିପଦ ଯେ ବଢ଼ାଏ ଶକତି !

ରାଜା ନର ! ଦେବ ନୁହେଁ ଶିରେ ସ୍ୱର୍ଣ୍ଣ ଛତି

ବହିବ ସତତ କିଆଁ ? ରାଜାର ହୃଦୟ

ପ୍ରଜା ସୁଖ ଦୁଃଖେ ଭରା; ଦେହରକ୍ଷିମୟ

ଯିବ କିଆଁ ନିରାପଦେ ଆଡ଼ମ୍ବର ରଙ୍ଗେ

ଭସାଇ ପ୍ରକୃତିପୁଞ୍ଜ ପ୍ରଳୟ ତରଙ୍ଗେ ?

ନୁହେଁ ମୁହିଁ ହୀନ ପଶୁ ଶାସକ ରକ୍ଷକ

ଯା’ଯୋଗୁଁ ରାଜାର ସୃଷ୍ଟି ତାହାର ଭକ୍ଷକ

ନୁହେଁ ରାଜା, ଲକ୍ଷ ଲକ୍ଷ ପ୍ରଜାରକ୍ତ ଶୋଷି

ପେଡ଼ି ଲକ୍ଷ ବୁକୁ ରକ୍ତେ ରୁକ୍ଷ କ୍ଷୁଧା ତୋଷି

ବଞ୍ଚେ ନାହିଁ ରାଜା, ନୁହେଁ ଗୁଣ୍ଡାମି ରାଜୁତି

ଖିଆଲର ଖେଳ । ଶତ ବଦଖୋଇ ଫୂର୍ତ୍ତି

ରଙ୍ଗଭୂମି ଅବା ! ଭୁଲି ଉତ୍ସବ କୁହୁକେ

କିଆଁ ସେ ମାରିବ ଛୁରୀ ନିଃସ୍ୱ ଶୀର୍ଣ୍ଣବୁକେ

ଦସ୍ୟୁସମ ? ଶିବିକାର ଜଡ଼ବସ୍ତୁ ନୁହେ

ରାଜା, ଗଢ଼ା ଯେହୁ କୋଟି ପ୍ରଜା ଲହୁ ଲୁହେ !

ରାଜାର ସକଳେ ଭୃତ୍ୟ, ରାଜା ସକଳର

ସେବକ, ସେବଇ ରାଜ୍ୟ ଯେହ୍ନେ ଜଳଧର;

ଅତ୍ୟାଚାରୀ ଟାଣେ କର, ଜାଣଇ ତାଡ଼ନା,

ତାଡ଼ନା ଶାସନ ନୁହେଁ, ପ୍ରଜାର ମୃର୍ଦ୍ଧନା

ଫଟାଇ କାଢ଼େ ଯେ ଭକ୍ତି- ଅନ୍ୟ ନାମ ଭୟ

ଶତ ଗୁଣେ ସେ ଶାସନୁଁ ଶ୍ମଶାନେ ଆଶ୍ରୟ

ଶ୍ରେୟଃ ପରଜାର, ରାଜା ସେବାବ୍ରତେ ରତ

ସ୍ୱର୍ଗର ଦେବତା ସମ, ରଣ ଖଣ୍ଡା କ୍ଷତ

ଆରୋଗ୍ୟର ସୈନିକର କୋମଳ ବଚନେ,

ପୋଛେ ସ୍ୱର୍ଣ୍ଣବାସେ ଅଶ୍ରୁ-ପିଚ୍ଛିଳ ନୟନେ

ପତିତର; ବୃଥା ଆଉ ନ କର ବିଳମ୍ବ

ସର୍ଦ୍ଦାର—ଶ୍ମଶାନ ଭ୍ରମଣେ ଦେବ, ଲୋଡ଼ା ଛାତି ଦମ୍ଭ !

ଚଣ୍ଡାଶୋକ—ଧଉଳିର ଶିଳ୍ପାଗାର ! ଶିଳ୍ପୀ ଏଥି ବସି

ପାଷାଣେ ଜୀବନ ଦିଏ, ମୁଦେ ହସି ହସି

ଜଳ୍ପନା କରଇ କେତେ କଳପନା ସଙ୍ଗେ

ମର୍ତ୍ତ୍ୟ ଭୁଲି ଭାସେ ସ୍ୱର୍ଗ ଅମୃତ-ତରଙ୍ଗେ

ସୌନ୍ଦର୍ଯ୍ୟର; କେ ବାଳକ ? ଅଶ୍ୱିନୀ କୁମାର

କାର୍ତ୍ତିକ ବା ସୁପ୍ତ ଏଥି ? ଶୁକ୍ଳ ପୁଷ୍ପମାଳ

ଶ୍ୟାମ ପତ୍ରାସନେ ଅବା ! ହେମ ମୂର୍ତ୍ତି ଶାଣି

ଥୋଇଛିକି କଳିଙ୍ଗର ନିପୁଣ ବିନ୍ଧାଣି ?

ଶିଶିର ନିଶୀଥ ଜହ୍ନ-ମଳିନ ବଦନ,

ହେମନ୍ତ କୁହେଳୀ କଳା ଶତଦଳ ସମ

କୁହୁଳଇ କି ବିଷାଦେ ! ପୁରୁଷର ମୂର୍ତ୍ତି

ଆଖି ତଟେ ଦପ ଦପ ବୀରତ୍ୱର ସ୍ଫୂର୍ତ୍ତି

ଜଳେ ଚଣ୍ଡ ରବି ସମ; କପାଳେ ଖେଳଇ

ପ୍ରତିଜ୍ଞା-ଅପ୍ସରୀ ମୁଦେ, ଗଣ୍ଡେ ଚମକଇ

ନବ ନବ ଲାବଣ୍ୟର କନକ ବିଜୁଳି,

ପୋହଳା-ବୋଇତ ସମ ଅଧରେ କୁହୁଳି

ଫୁଟେ ହାସ୍ୟ, ପ୍ରତି ପଦ ଚନ୍ଦ୍ରିକା ଯେସନ

ମନ୍ଦାର ମଞ୍ଜରୀ ପରେ, ଅନ୍ଧକାର ସମ

କଳା କେଶ ଗୁଚ୍ଛ ମୁଖେ ପଡ଼ିଅଛି ବୁଣି

ଯେ ଦେଖିବ ନୟନ କି ଫେରାଇବ ପୁଣି !

ଧନ୍ୟ ଶିଳ୍ପି-କୁଳ-ମଣି; ଧନ୍ୟ ତୋ ମହିମା

ଶାଣିଛୁ ଏ ରୂପ ଶିରୀ ସୁଷମାର ସୀମା

ପରଶି ତୁଳିକା ମୁନେ, !!

ସର୍ଦ୍ଦାର—ନୁହେଁ ଏ ମୂରତି

ନର ଶିଳ୍ପ ଶାଣଦିଆ, ବିଶ୍ୱକର୍ମା କୃତୀ !

ଲାବଣ୍ୟ ଭଣ୍ଡାର ଘର, କୁସୁମ କୋଟିଏ

ମଧ୍ୟେ ଯଥା ବାରିହୁଏ ପାରିଜାତଟିଏ

ସହସ୍ର ମୂରତି ମଧ୍ୟେ ପଡ଼ିଯାଏ ଚିହ୍ନା

ଜଡ଼ ନୁହେଁ ଜୀବନ୍ତ ସେ !

ଚଣ୍ଡାଶୋକ—ଶ୍ୱାସ ଶବ୍ଦ ସିନା

ଶୁଣି ବୋଲ ଜୀବନ୍ତ ସେ, ସୁବର୍ଣ୍ଣ ପିତୁଳା

ମଧ୍ୟେ ନିକି ଯାନ୍ତା ଜଣା ମୂର୍ତ୍ତି ତାର ତୁଳା ?

ଧ୍ୱଂସ ହେବ ମୋ ସାମ୍ରାଜ୍ୟ, କେତେ ଯେ ତୋଫାନ

ବହିବ ଭାରତ ବକ୍ଷେ, କାଳ କ୍ରମେ ମ୍ଳାନ

ହେବ ଏ ସଂଗ୍ରାମ ତିକ୍ତ ମଧୁର କାହାଣୀ;

କେ କହିବ ସତ୍ୟସାର ଇତିହାସ ବାଣୀ ?

କେ ରଖିବ ଏ ସଭ୍ୟତା, କାର କଳା କୃଷ୍ଟି ?

କେ ଟାଣିବ ସୀମାହୀନ ଭବିଷ୍ୟତ ଦୃଷ୍ଟି ?

ଏ ଯେ ମୂର୍ତ୍ତି କଳିଙ୍ଗର ମୂକସାକ୍ଷୀ ରୂପେ

ଏ ଯୁଗ ପ୍ରତୀକ ହେବେ, ବୁଡ଼ି ଅନ୍ଧକୂପେ

ଅତୀତର, ଅଣ୍ଡାଳିବେ ଇତିହାସ ତାର

ବିଦ୍ୟା-ସୁଧା-ମନ୍ଦାକିନୀ ବିଦ୍ୱାନ-ମରାଳ;

ଖୋଜି ଖୋଜି ଲଭି ମୂର୍ତ୍ତିମନ୍ତ ଇତିହାସ

ଏ ପ୍ରତିମା, ତାପ କ୍ଳାନ୍ତ, ମରୁପାନ୍ଥ ହାସ

ପୁଟେ ଯଥା ଦ୍ରୁମ ତଳେ ହେରି ଗିରିଝର

ତଥା ହେବେ ଉଲ୍ଲସିତ;

ଚିତ୍ର—ଲାଗେ ଶୋଷ ବଡ଼ ।

ଚଣ୍ଡାଶୋକ—କୁନାଳ ପରିକା ଗୋରା ଦୁଧିଆଳୀ ଦେହ,

ହେରି ପାଷାଣର ପ୍ରାଣେ ଅଙ୍କୁରିବ ସ୍ନେହ !

ଗୋଟିଏ ଚାଉଳେ ଗଢ଼ା, କାଠି-ମଠା ମୁଖ

କନକ କମଳ ପରି ଡଉଲ; ମୋ ଦୁଃଖ

ହଜେ କାହିଁ ? ପିତାମାତା ବଜ୍ରରେ କି ଗଢ଼ା ?

ଏ କାଳେ ଏ କିଶୋରେ କେ କରେ କୋଳ ଛଡ଼ା ?

ରୋଗୀ ପୁଣି ! ଶୋଷୀ ପୁଣି !

ଚିତ୍ର—କିଏ ଦୟାମୟ

ଅଧରେ ଅମୃତ ଦେଲ ?

ଚଣ୍ଡାଶୋକ—(କିବା ପରିଚୟ

ଦେବି ଏ ବାଳକ ଆଗେ ? ସୁକୋମଳ କଢ଼ି

ବୁଝିବ କି ଝଞ୍ଜା, ବଜ୍ର, ଭୂମିକମ୍ପ ରଡ଼ି ?

ମହାବଳ ଗରଜନ ? କି ଦୁର୍ଯୋଗେ ଆସି

କଳିଙ୍ଗ ବଇକୁଣ୍ଠେ ମୁଁ ଯୁଦ୍ଧ-କାଳ ଫାଶି

ବସାଇଲି ବ୍ୟାଧ ସମ ! ପଡ଼ିଲେ ସେ ଜାଲେ

ସିଂହ, ବ୍ୟାଘ୍ର ସମ ବୀର, ବଜ୍ର ବିଦ୍ୟୁମାଳେ

ବଦ୍ଧ ଯଥା, ହୁହୁଙ୍କାରେ କରି ଗରଜନ

ହାଣି ହାଣି ଭୟ-ଖଡ୍ଗେ ବ୍ୟାଧ ପ୍ରାଣ ମନ

କଲେ ସୃଷ୍ଟି ବିଭୀଷିକା !!!)

ଉଡ଼୍ର ବୀର ପୁଅ,

ଯା ଲାଗି ବହଇ ଆଜି କଳିଙ୍ଗର ଲୁହ

ଲହୁଧାରେ, ସେ ନୃଶଂସ ମୂଢ଼ ଚଣ୍ଡାଶୋକ !

ଦାଗିଛ ଯେ ଲକ୍ଷ ପ୍ରାଣେ କ୍ଳେଶ, ଦୁଃଖ, ଶୋକ

ଉତ୍ତପ୍ତ କୃପାଣ ଚାଳି, ଶତ ଶତ ଶିର

ରୁଦ୍ଧ କାର ଅନ୍ଧକାରେ ବୌଦ୍ଧ ସନ୍ୟାସୀର

ଛେଦିଛି ଯେ ପଶୁବଳେ ! ପୋଡ଼ି ଲକ୍ଷ ଘର

ଭୋଗିଛି ପାଶବ ସୁଖ ବିଷାଦେ ଦେଶର !

ଜୀବନ୍ତ ମାନବ କେତେ ଦେଇଅଛି ଜାଳି

କି କରଇ ରାଜ ଶକ୍ତି କ୍ରୋଧେ ହୁହୁଙ୍କାରି

ପ୍ରମାଣିଛି ବାରମ୍ବାର, ରାଜାର ଖିଆଲ

ଧ୍ୱଂସେ ଯେତେ ଆଗେ ତାର ପ୍ରଳୟ କି ଛାର !

ରାଜା ସ୍ମିତ, ପ୍ରଜା ପ୍ରାଣ, ରାଜାର ଭ୍ରୂକୁଟି

ପ୍ରଜା ମୃତ୍ୟୁ ! ଅଭ୍ୟୁଦୟେ ଅହଙ୍କାର ଉଠି

ଧ୍ୱଂସେ ଶାନ୍ତ ପ୍ରଜାକୁଳ ନିର୍ମମ କୃପାଣେ

ପୀଡ଼ତର ହାହାକାର ବାଜେ ଜଡ଼ କାନେ

ପ୍ରେୟସୀ ସଙ୍ଗୀତ ସମ; ମୁମୂର୍ଷୁ ଚିତ୍କାର

ବାଜେ ଯେହ୍ନେ ଆମୋଦର ବାଜଣା ହଜାର !!

ଭୁଲଇ ଆପଣା କର୍ମ ମୋହମଦେ ସର୍ବ

ରାଜା ନୁହେଁ, ରାଜ୍ୟ ଶାସେ ସିଂହାସନେ ଗର୍ବ !!

ସେହି ଚଣ୍ଡାଶୋକ ମୁହିଁ ଗୋଟି ଗୋଟି ଭାଇ

ମୁଣ୍ଡ ଛିଣ୍ଡାଇଛି ଯେହୁ ସିଂହାସନ ପାଇଁ ।

ରାଜନୀତି କି କୁତ୍ସିତ ! ଷଡ଼ଯନ୍ତ୍ର ବଳେ

ମିଥ୍ୟାର ମନ୍ତ୍ରଣା ଶୁଣି ଖସେ କେତେ ତଳେ

ଦୁର୍ବଳ ଚରିତ୍ରହୀନ, ସେହି ରାଜନୀତି

ସଚ୍ଚରିତ୍ର ମୁଖେ ଘୋଷେ ଶାନ୍ତି ମୈତ୍ରୀ ପ୍ରୀତି

ମନ୍ତ୍ର ଶଙ୍ଖ ବଂଶୀ ସ୍ୱନେ,

ଘୋର ଆତତାୟୀ

ମିଥ୍ୟାଚାରୀ, ଅତ୍ୟାଚାରୀ ! କିଶୋର କିପାଇଁ

ମାଗିଲ ମୋ ପରିଚୟ ? କୂଟେ ନେଇ ମନ

ସରଳ ଜନର ଯଥା ନିରଜନ ବନ

ଘଞ୍ଚ ପଥେ ଡକାଇତ ଦିଏ ତାର ଚିହ୍ନା

ଖୋଲି ଚକ ଚକ ଖଣ୍ଡା ନାଚି ଧିନା ଧିନା

ଅଟ୍ଟହାସେ ! ଅସହାୟ ଚମକେ ହତାଶେ

ସଙ୍କୁଚିତ କରି ଅଙ୍ଗ ନେତ୍ର ବୁଜି ତ୍ରାସେ

ତେସନ ଯେ ଚମକିବ !!

ଚିତ୍ର—ପ୍ରଣାମ ଚରଣେ

ଶୀମୁକ—ନମସ୍କାର ! (କାଳସର୍ପ ପଶିଲା କେସନେ

ଅସହାୟ ପକ୍ଷୀ ନୀଡ଼େ !)

ପଦ୍ମା—କି ଅଶୁଭ କ୍ଷଣେ

ହୃଦୟର ଚାନ୍ଦ ଚିତୁ ଗଲା କାଳ ରଣେ ?

ଦେହମୟ ବୋଳିଥିଲି ପାଦୁକ ଦିଅଁର

କରିଦେବେ ବଜ୍ର ତନୁ ବିଶ୍ୱାସ ମନର;

କଲା ଶୁଭ ଦଧି ମାଛ ଦେଖି କୁମ୍ଭ ପୂର୍ଣ୍ଣ

ହାୟ ! ପ୍ରଭୁ, ବଜ୍ରାଘାତେ ମର୍ମ କଲ ଚୂର୍ଣ୍ଣ !

ସୁନାର ପିତୁଳା ମୋର ରତନର ଡାଲା,

ସୁଖର ମୁକୁତା ପେଡ଼ି, ଗଳା କଣ୍ଠିମାଳା,

ଏକ ଡୋଳା କାଣୀ ମା’ର, କିପରି ନିର୍ଘାତ

ଆଘାତ ତା’ପରେ କଲ ପ୍ରଭୁ ଜଗନ୍ନାଥ ?

ବାରବ୍ରତ ଉପବାସ ଏକାଦଶୀ ଫଳ

ରୂପେ କି ଶିରୀଷ ଫୁଲ ଛେଚିଲ ମୂଷଳ ?

ନିଷ୍ଠା ପୂଜା, କରେ ସର୍ବ ପରବ ପର୍ବାଣି

କି ଅନ୍ୟାୟ ଦେଖି ମୋର ହୃଦ ଦେଲ ହାଣି ?

ତା ଆଗୁ କିପାଇଁ ମୋର ପ୍ରାଣ ନାହିଁ ନେଲ

ନିରେଖି ଜନରେ କିଆଁ ନିରଦୟ ହେଲ ?

ଚିତୁ କି ଜାଣେ ନା ଯୁଦ୍ଧ ? ଖଣ୍ଡା ତା ବୁଲାଇ ?

ଯାର ଯଶ-ଗୀତ ଯାନ୍ତି ଭାଟଗଣ ଗାଇ

କଳିଙ୍ଗ ରାଜାଙ୍କ ପାଶେ, ଶୁଣି ଯା ଦଗଧ

ହୁଏ ଈର୍ଷା-ନିଆଁ ଝୋଲେ ନିଖିଳ ମଗଧ !

କିପରି ବାଜିଲା ଖଣ୍ଡା ନିଜ ଦେହେ ପୁଣି

କରିଥାନ୍ତା ଯାହା ଶତ ଶତ୍ରୁ ବୁକୁ ଖୁଣି !

ଅସମ୍ଭବ କଥାମାନ କରଇ ଦଇବ

କପାଳ ଲିଖନ କିଏ ଅନ୍ୟଥା କରିବ ?

ଶିଳ୍ପଘର ଚଟାଣଟି ଭିଜିଲା ରକତେ

ମୋ ଦେହରୁ ପ୍ରାଣ ଛାଡ଼ିଗଲା ଯେହ୍ନେ ସତେ !!

ଚାରି ଆଙ୍ଗୁଳିରୁ ବେଶୀ କ୍ଷତ ଦିଶେ ଗାଡ଼

ହାଡ଼ର ଉପରେ ଟାଣ ବସିଅଛି ମାଡ଼ ।

ଚେତା ହୋଇ କହେ କଥା ଠାକୁରଙ୍କ ଦୟା

ସତେ ଚଳାଇବେ ଦାଣ୍ଡେ ଚିତୁକୁ ବିଜୟା ?

ଶୁଖା କ୍ଷତ ହେବ ସତେ ବୀରତ୍ୱର ଚିହ୍ନ

ଚୁମି ଗର୍ବେ ଧନ୍ୟ ହେବ ଜନନୀ ଜୀବନ !!

ମୋ ଆଇଷ ଘେନି ଚିତୁ ଯୁଗେ ଯୁଗେ ଥାଉ

ସୁଖ ତାର ଦେଖି ମୋର ପ୍ରାଣ ଛାଡ଼ି ଯାଉ ।

ଚିତ୍ର—ରାଜା ବିଜେ କରିଛନ୍ତି ଗରିବ ଦୁଆରେ

ଅତିଥି ପୂଜିବି କେହ୍ନେ ନାହିଁ ଉଠି ପାରେ ?

ଖୁସିରେ ହସିବା ଲାଗି ପାଉନାହିଁ ବଳ

କ୍ଷତେ ବାଜେ କ୍ଷୀଣ ହସ ଯେସନ ମୂଷଳ !

ଜନନୀ ଗୋ ପୂଜ ଆଗେ ଅତିଥି-ଦେବତା

ତାପରେ ବୁଝିବ କ୍ଷତ ଅଉଷଧ କଥା ।

ଶୀମୁକ—ବଇଦ କରିଛି ମନା କଥା ନାହିଁ କହ

କରିବେ ଅତିଥି ସେବା ଜନନୀ ନିଶ୍ଚୟ ।

ଚଣ୍ଡାଶୋକ—ଏ ସୁନ୍ଦର ଦେହେ ପୁଣି କି ଉଦାର ମନ

ତାରାମୟ ନଭେ ଯଥା ଶୋଭେ ସୁନା ଜହ୍ନ

ଆକୃତି ସଙ୍ଗରେ ଚାରୁ ପ୍ରକୃତି ତେମନ୍ତ

ପୂରୁବ ସୁକୃତେ ସିନା ଲଭେ ଭାଗ୍ୟବନ୍ତ

ଅତିଥିର ଦରଶନେ ବାଳକ ପ୍ରଫୁଲ୍ଲ

ଶରଦ ଶଶୀ ଉଦୟେ କୁମୁଦିନୀ ତୁଲ ।

ସର୍ଦ୍ଦାର—ଅମର ଦେବତା କାହୁଁ ମରତେ ଆସିଲା ?

ପାରିଜାତ କଳୀ କେହ୍ନେ ଉଦ୍ୟାନେ ଫୁଟିଲା ?

ବିଧାତା-ସୁନାରି କେହ୍ନେ ସୁନା ରୂପେ ଗୁଣ-

ମଣି ଖଞ୍ଜିଛି ଯତନେ ! ନିଖିଳ ନିଖୁଣ

ଶ୍ରୀଅଙ୍ଗେ ଲାଗିଲା କେହ୍ନେ ତରବାରୀ ମୁନ ?

ଏ ରୂପ କରିବା ଲାଗି ତରବାରୀ ଖୁଣ

ସଙ୍କୋଚିଲା ନାହିଁ ତିଳେ ?

କେ ରୂପ-ବଇରୀ

ଈର୍ଷାର ମାର୍ଜ୍ଜାର ନଖ କଲା ହତଶିରୀ

ଅବା ଏ ଲାବଣ୍ୟ ଠାଣି ?

ଶୀମୁକ—ରେ ମୂଢ଼ କୃପାଣ,

ସହସ୍ର ସହସ୍ର ବୈରୀ ରକ୍ତ କରି ପାନ

କମିଲା ନାହିଁ ତୋ ତୃଷା ? ନିଜର ସାମନ୍ତ

ରକତ ପିପାସା ଚିତ୍ତେ ଜାଗିଲା କେମନ୍ତ ?

ବିଶ୍ୱାସଘାତକ । ପ୍ରାଣେ କରୁଣା ହେଲାନି ?

ହାଣିବା ଆଗରୁ ନିଜେ ମଲୁନାହିଁ ହାଣି ?

କୋମଳ କମଳ ଦଳେ ଦାଢ଼ ପରଖିଲୁ ?

କିବା ନିଜର ଚରିତ୍ରେ କଳଙ୍କ ଲିପିଲୁ ?

ଘେନ ପିତୃ ଅଭିଶାପ ! ‘‘ହୁଅ ଚିର ଜଡ଼

ଛୁରୀ ଅବତାର ଶଠ ଡକାଇତଙ୍କର ।’’

ସତ୍ୟ ନ୍ୟାୟ ଯୁଦ୍ଧଲାଗି ଅଯୋଗ୍ୟ କୃପାଣ,

ତୋତେ ଘେନି ଉଡ଼ାଇବ କେ ଜୟ ନିଶାଣ ?

ଜଡ଼ ଅବା କି ବୁଝିବୁ ପିତାର ବେଦନା ?

ବୃଥା ଗାଳି ! କରତଇ ହୃଦୟ ଯନ୍ତ୍ରଣା !!!

ଚିତୁ ଯେ ମୋହର ଆତ୍ମା, ମୁହିଁ ତାର ଦେହ

ସର୍ଦ୍ଦାର—ଜନନୀ ଜନକଙ୍କର ମୂର୍ତ୍ତିମାନ ସ୍ନେହ !

କିଏ ସେହି ?

ଚଣ୍ଡାଶୋକ—ଚିତ୍ର !!

ସର୍ଦ୍ଦାର—ଚିତ୍ର !!!

ଚଣ୍ଡାଶୋକ—ପ୍ରଳୟ ସମ୍ଭବେ

ଏ ଅମୃତ ମୂର୍ତ୍ତିରୁ କି ? ମୋ ସୈନିକ ଶବେ

ତୋଳିଛି ପର୍ବତ ଯେହୁ ସମର ପ୍ରାଙ୍ଗଣେ ?

ଅଶ୍ୱତ୍‌ଥାମା, ଅଭିମନ୍ୟୁ ଏକ ଅଙ୍ଗେ ଯେହ୍ନେ ।

ଛତ୍ରଭଙ୍ଗ ଦେଇଥିଲେ ଯା ଖଡ଼ଗ ଡରେ

ସୈନ୍ୟଗଣ ? ଏ ଦେହ କି ଏତେ ଶକ୍ତି ଧରେ ?

ଏ କି ଚିତ୍ର ? ଚିତ୍ରପଟ ସମ ଦିଶେ ଅଙ୍ଗ

କେସନ ଏ ଖେଳାଇଲା ଆଗ୍ନେୟ ତରଙ୍ଗ ?

ବୁଣିଲା ଏ ବଜ୍ର କେହ୍ନେ ନୁହେଁ ଜଳଧର ?

ବଞ୍ଚିଲା କେସନେ ବିଷ ନୁହେଁ ବିଶଧର ?

ଅସମ୍ଭବ ! ଅସମ୍ଭବ !

ଚିତ୍ର—ଜାତିରକ୍ଷା ପାଇଁ

ସବୁ ସାଧିପାରେ, ଚିତ୍ର, ବଇରୀ ବଡ଼ାଇ-

ପାହାଡ଼େ କଚାଡ଼େ ବଜ୍ର, ସମର କ୍ଷମତା

ଧ୍ୱଂସଇ ଶତ୍ରୁର ତେଜି ଜୀବନ ମମତା !

ଜନ୍ମପରେ ମୃତ୍ୟୁ, ମୃତ୍ୟୁପରେ ଏ ଜୀବନ

କିମ୍ପାଇ କରିବ ବୀର ଭୀରୁତା ବରଣ ?

ସ୍ୱେଚ୍ଛାଚାରୀ ସ୍ୱେଚ୍ଛାଚାର ବର୍ଚ୍ଛାର ଆଘାତ

ସହି ଡାକନ୍ତୁ କି ଖାଲି ରଖ ‘‘ଜଗନ୍ନାଥ ?’’

ଦୁର୍ବଳତା ହେରି ହରି ହସନ୍ତେ ନାହିଁକି ?

ଥାଉଁ ବଳ ଦସ୍ୟୁ ଦାସ ହୁଅନ୍ତୁ କାହିଁକି ?

ତୁମ ଅତ୍ୟାଚାର ! ଆମ ଆତ୍ମରକ୍ଷା ରଣ

ତୁମ ଲିପ୍‌ସା ତୃପ୍ତି । ଆମ ଧ୍ୱଂସର କାରଣ !

ତୁମର ଖିଆଲ ତୋଷ, ନ୍ୟାୟ ସତ୍ୟ ଲାଗି

ଆମ ଯୁଦ୍ଧ ! ଇଜ୍ଜତର ଅଟ୍ଟାଳିକା ଭାଙ୍ଗି

ଆସିଛ ଗଢ଼ିବ ବୋଲି ନିଜର ସମ୍ମାନ !

ଲୁଣ୍ଠିତ ରକ୍ତାକ୍ତ ଧନେ ହେବ ଧନବାନ !

ଧ୍ୱଂସ ସ୍ତୁପେ ଉଡ଼ାଇବ କେତନ ଜୟର

ମହାବଳ ପୁତ୍ରେ ତବ ଚୁମ୍ବିବେ ପୟର !!

ଶୋଷିନେବ ଟିଙ୍କ ସମ ଆମ ହାଡ଼ରସ

କରିବ ବିଳାସେ ତବ ଜୀବନ ସରସ !!

ପିପୀଲିକା ଦଂଶେ ଯେବେ ଆତ୍ମରକ୍ଷା ପାଇଁ

ଆତ୍ମରକ୍ଷା ଅଧିକାର ଆମର କି ନାହିଁ ?

ଚଣ୍ଡାଶୋକ—ନିଖିଳ ଭାରତ ଜିଣି ତରବାରୀ ବଳେ

ହେବି ଚକ୍ରବର୍ତ୍ତୀ ରାଜା । ମୋ ଚରଣ ତଳେ

ଖଟିବେ ସାମନ୍ତ ରାଜା କିଙ୍କର ଯେସନ;

କମ୍ପିବେ ସ୍ୱରଗେ ଇନ୍ଦ୍ର ହେରି ପରାକ୍ରମ ।

ସର୍ବତ୍ର ଉଡ଼ିବ ଧ୍ୱଜା ମୋର ସାମ୍ରାଜ୍ୟର

ହେବି ହର୍ତ୍ତା କର୍ତ୍ତା କୋଟି କୋଟି ଜୀବନର !

ରାଜକୁଳମୌଳିମଣି ହେବି ଜଗତରେ

କେତେ ଆଶା-ଇନ୍ଦ୍ରଧନୁ ଜାଗିଲା ଅନ୍ତରେ ।

ନୈରାଶ୍ୟର ବାତ୍ୟାଘାତେ ସବୁ ଚୂର୍ଣ୍ଣ ଆଜି

ପ୍ରଳୟ ଝଞ୍ଜାରେ ବୁକୁ ପଞ୍ଜର ମୋ ଭାଜି

ପଡ଼େ ଯେହ୍ନେ ! ତେବେ ରାଜି ହୁଏ ନାହିଁ ମନ

ତେଜିବାକୁ ପରରାଜ୍ୟ କ୍ରୂର ଆକ୍ରମଣ ।

ଯୁଦ୍ଧ-ନିଶା-ପାନେ କ୍ରମେ ପିପାସା ବଢ଼ଇ

କ୍ରୂରତା ଅଭ୍ୟାସ ଦୟା ସମାନ ମଣଇ

ସୈନିକ ତା ଶ୍ରେଷ୍ଠଗୁଣ ସାମ୍ରାଜ୍ୟବାଦୀର

ପିପାସାର ଅନ୍ତ କାହିଁ ? ଭାବେ ଜୟୀ ଚିର

ସ୍ୱରାଜ୍ୟ ଭୋଗିବ ଯେହ୍ନେ !

ଚିତ୍ର—ତୃଷାତୃପ୍ତି ପାଇଁ

ଧିକ୍‌ ନରରକ୍ତ ପିଅ, ମାର ନିଜ ଭାଇ ।

ଧ୍ୱଂସ ହେଉ ଯେ ସାମ୍ରାଜ୍ୟ ଗଢ଼ା ମଡ଼ାସ୍ତୂପେ

ବର୍ବର ବୀରତ୍ୱ ସଢ଼ୁ କାରା ଅନ୍ଧକୂପେ !

ଧ୍ୱଂସ ହେଉ ପଶୁବଳ, ଶକତି ଗର୍ବର

ଲୁପ୍ତହେଉ ଧରାତଳୁ ନାମ ଦାମ୍ଭିକର ।

ପରରାଜ୍ୟ ଗ୍ରାସ ଯୁଦ୍ଧ ଲୁପ୍ତ ହେଉ ଚିର

ନିର୍ଦ୍ଦୋଷ ମାନବେ ବଧି ନୋହୁ କେହି ବୀର ।

ତୁମ ନିଶାଖିଆ ଖେଳ କାଳ ଯେ ଆମର

ସ୍ୱାଧୀନତା ପ୍ରିୟତମ ସକଳ ଜନର,

ଖଣ୍ଟ ସମ ହରିବା ତା ସାଧୁତା ନୁହଇ

ହୋଇପାରେ ମହାରାଜା ସାରା ବିଶ୍ୱଜୟୀ !

ହତ୍ୟା ଯେ ବୀରତ୍ୱ ନୁହେଁ, ଅନ୍ତର ଦୀନତା

କିବା ସେହି ରୂପଧରେ ହୀନ କାତରତା !

ମୁକ୍ତାମଣି ରତ୍ନଆଦି ଲୁଣ୍ଠି ସର୍ବଧନ

ସଭ୍ୟତା ବିଚାରେ ରାଜା, ସେ ଦରିଦ୍ରତମ ।

ଆତ୍ମାର ଉନ୍ନତି ଲାଗି ଦିଏ ଯେ ସର୍ବସ୍ୱ

ଧନୀ ସେହି ଜ୍ଞାନୀ ସେହି ଦିଶିଲେ ବି ନିଃସ୍ୱ ।

ଅଛି ସର୍ବ, ଅଛି ଯା’ର ଉଦାର ହୃଦୟ

ବିନା ଅସ୍ତ୍ରେ କରିପାରେ ଧରଣୀ ବିଜୟ !

ସେ ବିଜୟ ଚିରନ୍ତନ, ଆନ ଜୟ ଛାଇ

ସ୍ୱର୍ଣ୍ଣଅଙ୍ଗ ପାଶେ ଅବା କରି ସଙ୍ଗେ କାଇ ।

ଯେସନ ଚୂତ ମୁକୁଳ ଝରାଏ କୁହୁଡ଼ି

କି ଆନନ୍ଦ ! ଆଶା ତବ ପଡ଼ିଛି ମଉଳି !

ଚଣ୍ଡାଶୋକ—ଯୁଦ୍ଧ କି ପଶୁ ପ୍ରବୃତ୍ତି ବିକାଶ କେବଳ ?

ପ୍ରଳୟ କି ପ୍ରସବେନା ଅମୃତର ଫଳ ?

ବାଞ୍ଛ ତାର ଧ୍ଵଂସ କିଆଁ ?

ଚିତ୍ର—ମାନବର ମନେ

ମନ୍ଦ ଆଉ ଭଲବୃତ୍ତି ମାତିଛନ୍ତି ରଣେ;

ମନ୍ଦବୃତ୍ତି ଶଙ୍ଖଚୂଡ଼ ବମଇ ଗରଳ

କରେ ଜନେ ତାମସିକ ପଶୁ ଅବିକଳ ।

ଭଲବୃତ୍ତି ଧ୍ୱଂସେ ତାହା ଗରୁଡ଼ ଯେସନ

କେବେ ପଦ୍ମତୋଳା ବୋଲି ଦମଇ ସଂଯମ ।

ମନ୍ଦେ ବାଧାଦେବା ବୃତ୍ତି ବଢ଼ଇ ସମରେ

ସୁପ୍ତ ଶୌର୍ଯ୍ୟବୀର୍ଯ୍ୟ ଜାଗେ ସିଂହସମ ଖରେ

ତେଣୁ ରଣ ଲୋପ କଥା ବୋଲୁନାହିଁ ମୁହିଁ;

ଚଣ୍ଡାଶୋକ—କି ଅନ୍ୟାୟ କରିଛି ମୁଁ ଆକ୍ରମି ଏ ଭୂଇଁ ?

କି ଦୋଷ ସାମ୍ରାଜ୍ୟବାଦେ ? ବିକାଶ ଗୁଣର

କରିନି କି ଆକ୍ରମଣ ଚଣ୍ଡ ଅଶୋକର ?

ଚିତ୍ର—ଶକ୍ତି ଅପବ୍ୟବହାରେ ଶକ୍ତି ଅପଚୟ

ବିଜୟ ହେଲେବି ତାର ଘୋର ପରାଜୟ !

ଶସ୍ୟ ଶ୍ୟାମ ପଲ୍ଲୀମାନ ରଖିଛ ଧୂଳିରେ

ତୋଳିଛ ବିଜୟ-ସୌଧ ଲକ୍ଷ ଶବ ଶିରେ

ଏହା ଯେବେ ନ୍ୟାୟ ବୋଲ ଗୁଣ୍ଡାମି କାହାରେ ?

ଏ ଯେବେ ବୀରତ୍ୱ ! ବୋଲ ନୃଶଂସତା କାରେ ?

ହରଇ ସର୍ବସ୍ୱ ଶାନ୍ତ ନିର୍ଦ୍ଦୋଷ ଜନର

ଅସ୍ତ୍ରବଳେ ଡକାଇତ ! ଭଦ୍ରଲୋକଙ୍କର

ଆଦର୍ଶ ନୀତି ଏ ନୁହେଁ ! ଜନସେବା କରି

ମହତ ମାନବ କାଳ-ପେଣ୍ଡୁ ଯାଏ ଗଡ଼ି ।

ସାମ୍ରାଜ୍ୟ-ପ୍ରାସାଦ ଗଢ଼ା ସହସ୍ର ମୁର୍ଦ୍ଦାର-

ମୂଳଦୁଆ ପରେ, ଯାର କାନ୍ଥ ଅତ୍ୟାଚାର-

ପାଷାଣେ ତୋଳଇ ଶିର, ମିଥ୍ୟା-ପଲସ୍ତରା

ଯୋଗେ ଜକ ଜକ ଦିଶେ ଯେହ୍ନେ କୁଆଁତରା

ନିର୍ମମତା-ଦ୍ୱାର ଗଢ଼ା ମର୍ମ୍ମର-ପ୍ରସ୍ତରେ

କୋଟି ଲୁହ ଲହୁ ଭିଜି ଝଟକେ ଅମ୍ବରେ ।

ପାପ-ସିଂହାସନ ସେହି ସଉଧେ ସ୍ଥାପିତ

ଗର୍ବ- ଅହଙ୍କାର ରତ୍ନେ ଦିଶଇ ରଞ୍ଜିତ;

ତହିଁ ଶାସେ ଭୂତ-ପତି ସାମ୍ରାଜ୍ୟ-ଶ୍ମଶାନେ

ଶାସକ ! ଶୋଷକ ତାର କାର୍ଯ୍ୟର ପ୍ରମାଣେ,

ବିପ୍ଳବ-ମୁଦ୍ଗରେ ଦିନେ ଫାଟେ ସେ ସଉଧ

ଝଞ୍ଜା ଯୋଗେ ଯଥା ଘଞ୍ଚ ଶରଦ ବଉଦ

ଚଣ୍ଡାଶୋକ—କି ଆଦର୍ଶେ ହେବ ଯୁଦ୍ଧ ?

ଚିତ୍ର—ଜାତୀୟ ସମ୍ମାନେ

ଆଞ୍ଚ ଲଗାଇଲେ ଶତ୍ରୁ କିଞ୍ଚିତ ପ୍ରମାଣେ,

ଜାତୀୟ ଜୀବନ ଯଦି କରଇ ବିପନ୍ନ

ରାହୁସମ ଆସେ ଗ୍ରାସି ସ୍ୱାଧୀନତା-ଜହ୍ନ,

ଧ୍ୱଂସଇ ବାଣିଜ୍ୟ, ଯଦି ଭାଙ୍ଗେ ଅର୍ଥନୀତି,

ଦଳେ ଯଦି ଅତୀତର ଗଉରବ କୀର୍ତ୍ତି,

ତେଜଇ ବିପ୍ଳବ-ଅଗ୍ନି ଅଲକ୍ଷ୍ୟେ ଦେଶରେ

ସନ୍ଧି ଯେବେ କରେ ଜାତି ଶତ୍ରୁ ସହିତରେ,

ଲାଞ୍ଛଇ ଆଦର୍ଶ, ଯଦି ଘୃଣଇ ଧରମ

ଧ୍ୱଂସଇ ସଂସ୍କୃତି; କିବା ସାମ୍ରାଜ୍ୟ ବର୍ଦ୍ଧନ

ଲକ୍ଷେ ଲୋଭ ତୃପ୍ତି ଲାଗି ଦାସତ୍ୱ-ଶୃଙ୍ଖଳ

ବାନ୍ଧିବାର ଚେଷ୍ଟା କଲେ ବୈରୀ ନୃପବର

ଇଜ୍ଜତର ରକ୍ଷା ଲାଗି ସମର ଘୋଷଣା

କରଇ ଉନ୍ନତ ଜାତି ବୀର ମହାମନା ।

ବିନାଶି ବର୍ବର ବୈରୀ ଆଦର୍ଶ ସମ୍ମାନ

ରଖେ, ତା ଛଡ଼ା ନ ଆଶ୍ରେ ବୀର ରଣାଙ୍ଗନ

କଳିଙ୍ଗ ଚଢ଼ାଉ ତବ ରାଜ୍ୟବୃଦ୍ଧି ପାଇଁ

ହିଂସା ଗର୍ବ ସଙ୍ଗେ ସତ୍ୟ, ନ୍ୟାୟର ଲଢ଼ାଇ

ଧର୍ମଜୟ, ସତ୍ୟଜୟ ଜୟ ଅହିଂସାର

ଏ ବିଶ୍ୱାସେ ଶମିଥିଲୁ ପିପାସା ଖଣ୍ଡାର

ଶତ୍ରୁ-ଲହୁ-ସରବତେ,

ଶୀମୁକ—ଅଙ୍ଗ ଯେ ଅବଶ

ଲାଗିବଣି ବାପଧନ !

ଚିତ୍ର—ଚିର ବୀର ରସ

ବୀରପ୍ରିୟ, ସେଥିଲାଗି ପ୍ରାଣ ଉତ୍ତେଜନା

ନାଶିଛି ମୋ ତରବାରୀ ଆଘାତ ଯନ୍ତ୍ରଣା ।

ଚଣ୍ଡାଶୋକ—କରିଥିଲେ କଳିଙ୍ଗିଏ ମାଗଧ ଚଢ଼ାଉ

ଆସିଥିଲି ପ୍ରତିଶୋଧେ ସାଧିବାକୁ ଦାଉ

ବୀର ଶୂନ୍ୟ ଭାବି ବୀରପୂର୍ଣ୍ଣ ଏ କଳିଙ୍ଗ

ବୀରତ୍ୱ-ବିଦ୍ୟୁତ୍‌ ଖେଳେ ପ୍ରତି ବୀର ସିଂହ

ରକ୍ତେ ମାଂସେ, ଅସ୍ଥିତଳେ କଥାକେ କଥାକେ

ବରେ ମୃତ୍ୟୁ ନ ନୁଆଁଏ କଳିଙ୍ଗେ ମାଥକେ ।

କଳିଙ୍ଗେ ମଗଧେ ଯେଣୁ ଚିତ୍ର ବୀରଶଶୀ

ତେଣୁ କର-ପଦ୍ମେ ଦେଲି ଘେନ ସ୍ୱର୍ଣ୍ଣ ଅସି;

ଚିତ୍ର—ଜାଣିଲି ସମ୍ରାଟ କେଡ଼େ ଉଦାର ମହତ

ଶତ୍ରୁ ଗୁଣ ଚିହ୍ନେ ଯେହୁ ଧନ୍ୟ ଏ ଜଗତ

ସେ ମହାତ୍ମା ଲାଗି ସିନା, ଗୁଣଜ୍ଞ ବିହୁନେ

ଈର୍ଷା ବଜ୍ର ରଥ ଚକ୍ରେ ଦଳିତ ମଉନେ

ହୁଅନ୍ତି ପଣ୍ଡିତ, କବି, ବୀର କେତେ କାହିଁ !

ଦୁର୍ଭାଗ୍ୟ ! ଧରଣୀ ବେଶୀ ପ୍ରସବେ ଯେ ନାହିଁ

ସୁପୁତ୍ର ! ହେଲେ ତା ମର୍ତ୍ତ୍ୟେ ସ୍ୱରଗ ଓହ୍ଲାନ୍ତା

ଯୁଦ୍ଧେ ଧରାମାତା କିଆଁ ରକ୍ତ କାନ୍ଦୁଥାନ୍ତା ?

ଜୀବନ-ପ୍ରଦୀପ ମୋର ମିଞ୍ଜି ମିଞ୍ଜି ଜଳେ

ନିଭିବ କେଉଁ ମୁହୂର୍ତ୍ତେ କାଳ ନିଃଶ୍ୱାସରେ !

କି ହେବ କନକ ଅସି ? ଅନୁରୋଧ ଶେଷ

ଘେନିବ କି ରାଜା ?

ଚଣ୍ଡାଶୋକ—ନାହିଁ ଦ୍ୱିଧା କରି ଲେଶ

ପାଳିବି ନିଶ୍ଚୟ;

ଚିତ୍ର—କର ବନ୍ଦ ଏ ସମର

ବଢ଼ାଏନା ଗୌରବ, ଏ ଲୀଳା ପାଷଣ୍ଡର;

ରାକ୍ଷସ ପଶୁର ବୃତ୍ତି ! ମାନବ ମହତ

ସବୁ ତେଜି ରଖେ ନିଜ ଚରିତ୍ର ଇଜ୍ଜତ ।

ବିଶ୍ୱଶ୍ରଷ୍ଟା ପରିବାର ସ୍ୱର୍ଣ୍ଣ ଶିର ହାଣି

ନିଜର ରକତ ସିନା ଫଟାଉଛ ପାଣି !

କତୁରୁଛ ନିଜ ଚର୍ମ, ଭାଙ୍ଗୁଛ କଙ୍କାଳ

ନିଜର କେବଳ ଭାଙ୍ଗି ବିଶ୍ୱ-ପରିବାର !

କିଏ ଶତ୍ରୁ ? କିଏ ମିତ୍ର ? ନିଖିଳ ସାଗର

ମେଘ ବିଦ୍ୟୁ ବଜ୍ରେ ସିନା ଦିଶେ ରୂପାନ୍ତର !

ଚେର, ମୂଳ, ଡାଳ ଅବା ପତ୍ର ପୁଷ୍ପ-ଫଳ

ଭିନ୍ନ ରୂପେ ଦିଶେ ଲଭି ମୂର୍ତ୍ତିକାର ବଳ

ମୂର୍ତ୍ତିକା ବିହୁନେ ସର୍ବେ ବନିବେ ମୂର୍ତ୍ତିକା;

କିବା ଭେଦ ଚୁଲୀ ଅଗ୍ନି, ଯଜ୍ଞ ଅଗ୍ନିଶିଖା ?

ଏକା ତାପ, ଏକା ଜ୍ୟୋତି, ସମ ଦାହ୍ୟ ବଳ

ସର୍ବ ଆତ୍ମା ତେଜ ଏକ ଅନନ୍ତ ସୂର୍ଯ୍ୟର ।

କିବା ଲାଭ ଭ୍ରାତୃ ରଣେ ? ବଞ୍ଚିବ କି ଚିର

ଲାଭ ? ବସିବ ଯେ ମାଡ଼ି ଆସି ଆନ ବୀର

ତବ ମୃତ୍ୟୁପରେ ରାଜ୍ୟ ସ୍ୱର୍ଣ୍ଣ ସିଂହାସନେ !

ଚଣ୍ଡାଶୋକ—ଏ କି ଦାବାନଳ ? ଆଶା-କୁସୁମିତ ବନେ

ପୋଡ଼ି ଜାଳି ଭସ୍ମକରେ ! ନିରାଶା ପ୍ରହାରେ

ଭାଜି ପଡ଼େ ଦେହମନ ରୁକ୍ଷ ହାହାକାରେ ।

ଗର୍ଜ୍ଜେ ପାପ ଅନ୍ତରେ ମୋ ମହା ବିକଟାଳ

କାନ୍ତି ଜିଣେ ବର୍ଷା ଅମା ନିଶୀଥ ଅନ୍ଧାର,

ଚିଲା ଆଖି, ଢ଼ିଲା ପେଟ, କିଳିକିଳା ପାଟି

ମାର୍ଜ୍ଜାର ନଖ ଚେପେଟା ନାକ ପଡ଼େ ଫାଟି

କି କୁତ୍ସିତ ରସେ, ମୂଳା ଦାନ୍ତ ପାଣ୍ଡୁ ପୀତ

ଗତି ଭୟପୂର୍ଣ୍ଣ ମତି ଚିର ବିଚଳିତ ।

ଦୁର୍ବୃତ୍ତ ଦୁର୍ଦ୍ଦାନ୍ତ ଦୈତ୍ୟ ଅନ୍ତରୁ ପଳାଏ

ସୂର୍ଯ୍ୟ ରଶ୍ମି ତୂର୍ଯ୍ୟ ନାଦେ ଅନ୍ଧକାର ପ୍ରାୟେ ।

ଢୋକି ଢୋକି କହେ କଥା ପାଟି ଲାଗେ ତାର

ନିପୁଣ ଅଠାକାଠିରେ ଚଡ଼େଇ ପ୍ରକାର।

ଭ-ମ ଆଦି ବର୍ଣ୍ଣେ; ଅତି ରୁଗ୍ଣ କ୍ଷୀଣ ଦେହ

ଦରଶନେ ଜାଗେ ସର୍ବ ମାନସେ ସନ୍ଦେହ ।

ସଂଶୟ-ଅନଳ ଭୀରୁ ମନେ କୁହୁଳଇ

ବିଜୁଳି ଚଞ୍ଚଳ ଡୋଳା ନିରତେ ଘୁରଇ

କି ଅଜଣା ଆଶଙ୍କାରେ, ଯାହା କହେ ଭୁଲେ

ନବ ନବ ଛଳନାର କଳପନା ଝୁଲେ

ପାଂଶୁଳ ଅଧରେ; ପାପ-ପ୍ରଣୟୀ ସଙ୍ଗତେ

ଚଳେ ମିଥ୍ୟା ଦଗ୍‌ଧ ମୁଖୀ ରାକ୍ଷସୀ ଯେମନ୍ତେ ।

ସାଳ ଡାଳ ସମବାହୁ, ନିଷ୍ଠୁର ଚରଣ

ପାଷାଣର ସ୍ତମ୍ଭ ସମ ଦମ୍ଭ, ତା ନୟନ

ଜଳେ ଦାବାନଳ ସମ ଜାଳେ ଯାହା ହେରେ

ପ୍ରେମ ସ୍ନେହ ଗୀତେ ଲୌହ କର୍ଣ୍ଣ ନାହିଁ ଡେରେ

ମୁଖ ଧରେ ଅଗ୍ନି ଗିରି କ୍ରୁର ଭୀଷଣତା

ଗର୍ଜ୍ଜି ଭୂମିକମ୍ପ ସୃଜି ଚଳେ ‘‘ବର୍ବରତା’’ ।

ସର୍ବ-ଗ୍ରାସୀ ସତ୍ୟାନାଶୀ ହତ୍ୟା ଦାସୀ ତାର

କରେ ଖଡ୍ଗ ରବିକରେ ବିଞ୍ଚେ ଯା’ର ଦାଢ଼

ଉଲ୍କା, ପୁଞ୍ଜ, ପ୍ଳାବି ଧରା ରକ୍ତ ବର୍ଣ୍ଣୋଦକେ

ତଳେ ଜାଳି ସ୍ୱର୍ଣ୍ଣ ବିଶ୍ୱ ପାଦୁକା ପାବକେ ।

ଲୌହ ହସ୍ତେ ଲୌହ କାଚ କର୍କଶ-ବଦନ

ଦୁଃଖ-ଅଗ୍ନି ଆଜ୍ଞା ଛଳେ କରେ ଉଦ୍ଗୀରଣ

ଛିଣ୍ଡାଇ ବନ୍ଧୁତା-ଡୋରି ବଚନ-ବଜରେ

ବକ୍ଷେ ବକ୍ଷେ ମାରି ଛୁରି ନିଷ୍ଠୁରତା ଚଳେ ।

ମୁଖ ନାସା ନୟନେ ତା ବିକଟ ବିକୃତି

ବିକୃତିରେ ଗଢ଼ା ଯେହ୍ନେ ଆକୃତି ପ୍ରକୃତି ।

ସ୍ନେହ ମମତାର ଢେଉ ଖେଳେନା ଅଧରେ

ଶାଶ୍ୱତ ଅସହଯୋଗ ମଙ୍ଗଳ କର୍ମ୍ମରେ

ଚଳେ ଘୃଣା ପଶେ ପ୍ରାଣେ ‘‘ବିଶ୍ୱଜନୀନତା’’

ପ୍ରଶାନ୍ତ ଗଗନେ ଯେହ୍ନେ ନିଶାନ୍ତ ସବିତା ।

ରାକ୍ଷସୀ ଯେ ତିଳେ ଦୋଷ ତାଳ ପରି କରେ

ପର ଗୋଇ ଖୋଳିବାକୁ ଜିହ୍ୱା ଲମ୍ବି ପଡ଼େ ।

ପର ପରଶଂସା କାଳେ ବରଷା କୋକିଳ

ପର ଗୁଣ ଚର୍ଚ୍ଚାବେଳେ ପାଷାଣ-ଗମ୍ଭୀର

ଚଳେ ପରନିନ୍ଦା; ଘୋଷି ଘୋଷି ସ୍ୱ-ମହିମା

ଠେଲି ଛାତି ଗର୍ବେ ଚଳେ ଅନ୍ତରୁ ବଡ଼ିମା

ଗୋଟି ଗୋଟି ମନ୍ଦଗୁଣ ଋଷ ବ୍ୟାଘ୍ର ଅହି

ସମ ପଳାନ୍ତି ଅନ୍ତରୁ, ଦିବ୍ୟ ମୂର୍ତ୍ତି ବହି

ପଶନ୍ତି ସୁଗୁଣ ରାଶି ମୁନି ଋଷି ସମ

ହସେ ଅଙ୍ଗ ଲୋମେ ଲୋମେ ହସେ ଆତ୍ମା ମମ

ଜୋଛନା-କୋମଳ ହାସ୍ୟେ ଠେଲି ଅନ୍ଧକାର

କିଏ ପଶେ ଅନ୍ତରେ ମୋ ଚନ୍ଦ୍ରମା ପ୍ରକାର?

ଜ୍ୟୋତିର ପଣତେ ଦିଏ ପୋଛି ପାପ-ମଳି

ହୃଦ-ବୃନ୍ତେ ଦିବ୍ୟ ଜ୍ୟୋତି ଶତଦଳ ଭଳି

ଉଠେ ଫୁଟି ! ପ୍ରାଣ ଅତି ଉଶ୍ୱାସ ନିର୍ମଳ

ସ୍ୱର୍ଗୁଁ ଅବତରି ‘‘ପୁଣ୍ୟ’’ ମଣ୍ଡେ ମୋ ଅନ୍ତର ।

ଏ କେ ? ‘‘ସତ୍ୟ’’ ? ଦିଶେ ଅତି ସରଳ ସୁନ୍ଦର

କାବ୍ୟ ତାରା ସମ ଚକ୍ଷୁ, ଅମୃତର ଝର

ଫିଟେ ଯେହ୍ନେ ଜ୍ୟୋତି ରୂପେ, ଜମାଟ କିରଣ

ଗଢ଼ାଦନ୍ତ ପନ୍ତି ଯେହ୍ନେ, ରବି ରଶ୍ମି ସମ

ଛୁଟଇ ଉଜ୍ଜ୍ୱଳ ହାସ୍ୟ, ଅନ୍ତର ବାହାର

ସମାନ ଫଗୁଣ ଶ୍ୱାସ ମଳୟ ପ୍ରକାର !

ଚାଳି ଶିରା ଧମନୀରେ ବିଜୁଳି ଚମକ

ପଶେ ସତ୍ୟ ଭାଙ୍ଗିପଡ଼େ ଅନ୍ତରର ଦକ ।

ପରୁଷ ପୁରୁଷ ବେଶେ ତୁଳା ଦଣ୍ଡ ଧରି

ପଶେ ନ୍ୟାୟ ଉତ୍ତୋଳିତ ଭାଲେ ତ୍ରିଲହରୀ

ଚିନ୍ତାର, ସୁସ୍ଥିର ଚକ୍ଷୁ ଗାମ୍ଭୀର୍ଯ୍ୟ-ଶାଣିତ

ପଳିତ ଅଧର ବୋଳା ନୁହଇ କିଞ୍ଚିତ

କରୁଣା କୋମଳ ରସେ, ଦୋଷ ପରିମାଣେ

ଦଣ୍ଡ ଅଳ୍ପ ବେଶୀ ହେଲେ ଅନଳ-ନୟନେ

ଅନାଇ ସମାନ କରେ;

ତାଙ୍କ ପଛେ କ୍ଷମା

ନ ଜାଣନ୍ତି ଯେହ୍ନେ ହିଂସା, ଈର୍ଷା, କ୍ରୋଧ ଜମା !

ନୟନେ ଦିଶଇ ଫୁଟି ନିର୍ମଳ ଅନ୍ତର

ବିମଳ ସରଦ ସରେ ଯଥା ଶତଦଳ ।

ବୋଲନ୍ତି ‘‘ଉଦାର ମନେ ଦୋଷୀ ଦୋଷ କ୍ଷମ

ନାହିଁ ଦୋଷଶୂନ୍ୟ ଜନ, ମୁନି ମତିଭ୍ରମ !’’

ବିନ୍ଦୁ ବିନ୍ଦୁ ଅଶ୍ରୁଝରେ ସ୍ୱର୍ଣ୍ଣ ଗଣ୍ଡ ଧୋଇ

ଛିଡ଼ି ପଡ଼େ ମୁକୁତା ବା ଗୋଟି ଗୋଟି ହୋଇ

ମୁକ୍ତାହାରୁଁ; କା’ର ରୋଗ, ଶୋକ, ମୃତ୍ୟୁ କାହିଁ,

ନୟନ-କମଳ ଦିଏ ଲୋତକେ ଭିଜାଇ;

ପଶନ୍ତି କରୁଣା ପ୍ରାଣେ କରୁଣ ସଙ୍ଗୀତେ

ଫୁଟଇ ସହାନୁଭୂତି ବିଶ୍ୱଲାଗି ଚିତ୍ତେ ।

ଲତାଇଛି ଢଳା ଦେହେ ଜୋଛନା-ବସନ

ଉପବନେ କ୍ଷୀର ସ୍ୱଚ୍ଛ ନୀର ଧାରା ସମ,

କର୍ଣ୍ଣେ ଶିରୀଷର କଳି ମୃଦୁଳେ ଝୁଲଇ

ମୁଖେ ବୋଳା ଲୋଧ୍ରରେଣୁ, ଗଳାରେ ଦୋଳଇ

ନୀଳୋତ୍ପଳ ମାଳା, ହାସ୍ୟ ଜ୍ୟୋତି-ପୁଷ୍ପ ପରି

ଯହିଁ ଝରେ ତହିଁ ଭରେ ଲାବଣ୍ୟ-ଲହରୀ;

‘‘ଶାନ୍ତି’’ ଦେବୀ ଅନ୍ତରେ ମୋ, ରମ୍ୟ ତମ କାନ୍ତି

ହେରି ପ୍ରାଣୁଁ ଝରେ ପାପ ମରେ ଯୁଦ୍ଧ ଭ୍ରାନ୍ତି,

ଏକକରେ ସ୍ୱର୍ଣ୍ଣବଂଶୀ ହୀରା ଶଙ୍ଖ ଆନେ

ନାଚି ନାଚି ବଜାନ୍ତି ସେ ପ୍ରେମମୟ ତାନେ ।

ଏକକରେ ପୂର୍ଣ୍ଣକୁମ୍ଭ ଜୟ-ବୈଜୟନ୍ତୀ

ଆନେ, ଅନ୍ତରେ ମୋ ଧୀରେ ‘‘ସ୍ୱସ୍ତି’’ ପ୍ରବେଶନ୍ତି

ଶତଦଳ ବାସ ସମ ନିଃଶ୍ୱାସ ପବନେ

ପୁଲକଇ ଆତ୍ମା, ଅଙ୍ଗ, ଜୋଛନା ଯେସନେ

ଜମାଟି ଗଢ଼ିଛି କିଏ ! ଉଜ୍ଜ୍ୱଳ ନୟନ

ବରଷେ ରଜତ ରଶ୍ମି, ଉର୍ବଶୀ ଯେସନ

ରୂପ ତେଜେ ଆଲୋକିତ କରଇ ଅନ୍ତର

‘‘ଆତ୍ମବଳିଦାନେ ସାଧ ବିଶ୍ୱର ମଙ୍ଗଳ’’

ବୋଲନ୍ତି ବିଜୁଳି ଗଢ଼ା ସେତାର ବଜାଇ

ବଇକୁଣ୍ଠ ତୃପ୍ତି ଲଭେ ସେ ରୂପେ ଅନାଇ;

ଯୋଗାସନେ ସ୍ଥିରମତି ନିର୍ବାତ ନିଷ୍କମ୍ପ

ପ୍ରଦୀପ ଯେସନ, ସ୍ୱଚ୍ଛ ଜ୍ୟୋତି ଦିଏ ଲମ୍ଫ

ଚନ୍ଦ୍ର ଉଦିଅର ତେଜ ସମ ସମୁଜ୍ଜ୍ୱଳ

ବ୍ରହ୍ମଚର୍ଯ୍ୟ ପୂର୍ଣ୍ଣ ଅଙ୍ଗୁଁ, ଆଲୋକ ତରଳ

ଝଟକଇ ଲୋମେ, ଯଥା ଶ୍ୟାମ ଦୂର୍ବାଦଳେ

ଝଳଇ ଶିଶିର ବିନ୍ଦୁ ରବି ଦୀପ୍ତ କରେ ।

ଆଦିତ୍ୟ ମୟୁଖେ ମୁଖ ମାଜି ହେଲା ପରି

ଥୋପି ପଡ଼େ କରୁଣାର ଜୋଛନା ଯେପରି

ସଂଯମ-ଶାଣିତ ନେତ୍ରୁଁ, ଜ୍ଞାନର ଅନଳ

ରବି ବିମ୍ବ ସମଦୀପ୍ତ ଲଲାଟ ମଣ୍ଡଳ

ଉଦ୍‌ଗାରଇ; ଶାନ୍ତି ସ୍ୱସ୍ତି ଚାଳନ୍ତି ଚାମର

ବେନିପାଶେ, କିଏ ଏହି ମହାତ୍ମା ସୁନ୍ଦର?

ବୁଦ୍ଧ ? ଧନ୍ୟ ପବିତ୍ରିତ ପଙ୍କିଳ ଅନ୍ତର

ଲାଗି ସେ ମହାତ୍ମା ପାଦ-ପାରିଜାତ ଧୂଳି

ପ୍ରାଣ-ପାତ୍ର ସ୍ୱଚ୍ଛ ସ୍ୱର୍ଗ ଅମୃତରେ ପୂରି

ଫେନିଳ ହୁଅଇ ଯେହ୍ନେ ଜୋଛନା-ହାସ୍ୟରେ ।!

ବୋଲନ୍ତି ସେ ‘‘ଶୁଭଫଳ ଶୁଭ କରମରେ

ଅହିଂସା ପରମଧର୍ମ,’’ ବଉଦ୍ଧ ଧରମ

ଲଣ୍ଡିତ ମୁଣ୍ଡ, କଟିରେ ଗେରୁଆ ବସନ,

ଆସେ ତାଙ୍କ ପଛେ ଧୀରେ ଧୀରେ ପଦଚାଳି

‘‘ଅହିଂସା ପରମଧର୍ମ’’ ଉଚ୍ଚାରି ଉଚ୍ଚାରି,

ଗୋଟି ଗୋଟି ମନ୍ଦ ଗୁଣ ଋଷ ବ୍ୟାଘ୍ର ଅହି

ସମ ପଳାନ୍ତି ଅନ୍ତରୁ, ଦିବ୍ୟ ମୂର୍ତ୍ତି ବହି

ପଶନ୍ତି ସୁଗୁଣ ରାଶି ମୁନି ଋଷି ସମ

ହସେ ଅଙ୍ଗ ଲୋମେ ଲୋମେ ହସେ ଆତ୍ମା ମମ

ସକଳେ ପଶନ୍ତି ମୋର ନିର୍ମଳ ଅନ୍ତରେ

ହୃଦାକାଶ ପୂର୍ଣ୍ଣ ଯେହ୍ନେ ଗ୍ରହ ନକ୍ଷତ୍ରରେ !

ଅନ୍ତଃ ଶୁଦ୍ଧ, ନୁହେଁ ମୁହିଁ ପୂର୍ବ ଚଣ୍ଡାଶୋକ

ଅନ୍ତରେ ବାହାରେ ହେରେ ଅନନ୍ତ ଆଲୋକ

ଜ୍ଞାନ-ରାଜ୍ୟ କି ବିରାଟ ! ତା ଆଗେ କି ଛାର ?’’

ମୂର୍ତ୍ତିକା ସାମ୍ରାଜ୍ୟ ଲାଭ ମୂର୍ଖତା ବିକାର !

କଳିଙ୍ଗ ବିଜୟେ କ୍ଷୁଦ୍ର ଆନନ୍ଦ ଗୌରବ

ମୁକ୍ତା ନୁହେଁ ଶୂନ୍ୟ ଶକ୍ତି ! ! ଶାଶ୍ୱତ ବିଭବ

କାହିଁ ଜ୍ଞାନ-ମୁଲକର ? ମଧୁଛନ୍ଦା ଋଷି

ସରସ୍ୱତୀ ତୀର କୁଞ୍ଜେ ଯୋଗାସନେ ବସି

ସେ ନଦୀ ଲହରୀ ଛନ୍ଦେ ସ୍ୱଚ୍ଛନ୍ଦ ମିଶାଇ

ଯେ ଜ୍ଞାନ ଗୌରବ ରାଜି ଯାଇଛନ୍ତି ଗାଇ

ଯଜ୍ଞକୁଣ୍ଡେ ଯାହାଲାଗି ଦେଇ ଆତ୍ମବଳି

ମରତେ ଅମୃତ ପୁତ୍ର ନାମଛନ୍ତି ଧରି,

ଦୂରତର ସେହି ଜ୍ଞାନ-ରବି ରଶ୍ମି ରେଖା

ହିଂସା-ଅନ୍ଧକାର ପଥେ ନାହିଁ ମିଳେ ଦେଖା ।

କନ୍ଥାଧାରୀଠାରୁ ବିଶ୍ୱଜୟୀ ଦୀନତର

‘‘ଆତ୍ମୋନ୍ନତି’’ ଲକ୍ଷ୍ୟ ଚିର ଭାରତବର୍ଷର ।

ଚିତ୍ର ! ଦୀକ୍ଷାଗୁରୁ ସ୍ନିଗ୍‌ଧ ଜ୍ଞାନର ଅଞ୍ଜନେ

ଖୋଲିଛ ମୋ ଅନ୍ଧ ଜଡ଼ ଅନ୍ତର-ନୟନେ;

ବୟସେ ହେଲେ ବି ନ୍ୟୂନ ଜ୍ଞାନେ ବର୍ଷୀୟାନ

ଘେନ ଆଦି ନମସ୍କାର ଗୁରୁର ସମ୍ମାନ ।

ଚିତ୍ର—ନିମିତ୍ତ ମୁଁ ଚିତ୍ତ ତବ ଦେଖିଥିଲି ଭିନ୍ନ

ନ ଥିଲା ସଂଗ୍ରାମ କାଳ ଗର୍ବ, ଦମ୍ଭ ଚିହ୍ନ ।

ଚଣ୍ଡାଶୋକ- ସମ୍ରାଟ ଆଦେଶ ଶୀଘ୍ର ପ୍ରଚାର ସର୍ଦ୍ଦାର

‘‘ବନ୍ଦ ରଣ’’;

ସର୍ଦ୍ଦାର—ଶିରୋଧାର୍ଯ୍ୟ ଦୟା-ଅବତାର

ଚିତ୍ର—ସ୍ୱାଧୀନ ଦେଶରୁ ବଣ-ବ୍ରଣ-ବିମଣ୍ଡିତ

ବେଶେ ଯିବା ସ୍ୱର୍ଗ ଭାଗ୍ୟ ବୀରର ବାଞ୍ଛିତ;

ଆତ୍ମା-ପକ୍ଷୀ ତରତର ଦୁର୍ବଳ ଅନ୍ତରେ

ମାଟି-ନୀଡ଼ ଛାଡ଼ି ଯେହ୍ନେ ଉଡ଼ିଯିବ ଖରେ !

ବଳି ଦେଇଥାନ୍ତି ମୋର ଜୀବନ ନଶ୍ୱର

ନିରନ୍ତର ନିଷ୍ଠାପର ସେବାରେ ବିଶ୍ୱର

ନ ହେଲା ! ସମ୍ରାଟ କରେ ବିଶ୍ୱସେବା ଭାର

ଗଲି ଦେଇ; ଇଚ୍ଛା ଥିଲେ ଉତ୍ତମ ରାଜାର

କଲ୍ୟାଣ ସାଧଇ ବହୁ ଦେଶ ବିଦେଶରେ

ନିର୍ମାଣିବ ପଥ ଶତ ବେନି ପାରୁଶରେ

ଲଗାଇବ ଛାୟାତରୁ , ଆଶ୍ରିବେ ବାଟୋଇ

ଯା’ର ତଳେ ରବିକରେ ଶ୍ରାନ୍ତ କ୍ଳାନ୍ତ ହୋଇ;

ଗୋଶାଳା ! ଧରମଶାଳା-ମାନ ତିଆରିବ

କଲ୍ୟାଣକାରୀ କଦାପି ନ ଲଭେ ଅଶିବ

ଖୋଲିବ ଚିକିତ୍ସାଳୟ ଜୀବଜନ୍ତୁ ପାଇଁ,

ଖୋଳିବ ପୋଖରୀ କୂପ;

କଳିଙ୍ଗ ଲଢ଼ାଇ

ଦୀକ୍ଷା ଅକ୍ଷରେ ଅକ୍ଷରେ ପାଳିବ କାର୍ଯ୍ୟରେ

ଜ୍ଞାନର ସାଫଲ୍ୟ ଚିର ନିଃସ୍ୱାର୍ଥ କର୍ମରେ ।

‘ଧର୍ମାଶୋକ’’ ନାମ ଦେଲି ଯୋଗ୍ୟ ହେବ ତାର

ରସଲାଗି ଯେହ୍ନେ ନାମ ବହଇ ରସାଳ !

ବଢ଼େ ବ୍ୟଥା, ଘୂରେ ମଥା, ମେରୁଦଣ୍ଡ ଚୂରେ

କେ ଯେହ୍ନେ ମୃଦ୍‌ଗର ପିଟି । କାଟିଯାଏ ଖୁରେ

କେ ଯେହ୍ନେ ଧମନୀ ଶିରା ନିର୍ଦ୍ଦୟ ହସ୍ତରେ;

ଝିମି ଝିମି ପାଦହାତ, ଫାଟିଯିବ ଖରେ

ଯେହ୍ନେ ବୁକୁ ।

ପଦ୍ମା—ଭୂଇଁପରେ ଗଡ଼ନାରେ ଧନ;

ଚିତ୍ର—କି ମହତ ରାଜା ! ସେବ କନିଷ୍ଠ ଚରଣ ।

ଧର୍ମାଶୋକ—କଳିଙ୍ଗେ ପ୍ରଥମ ଆଉ ଯୁଦ୍ଧ ଶେଷପର୍ବ

ଭିଆଇବ ନାହିଁ ପୁଣି ଧନ-ଜନ-ଗର୍ବ

ଏ ପ୍ରଳୟ ! ହିଂସା ଲୋଭ କ୍ରୁର ଆମତ୍ରଣେ;

ମହାମତି ଗୁରୁଶିକ୍ଷା ପାଳିବି ଜୀବନେ ।

ଏତେକାଳ ମଣିଥିଲି ଜୀବନ ନିଜର

ବୁଝିଲି ଜୀବନ ଏବେ ନିଖିଳ ବିଶ୍ୱର !

କଳିଙ୍ଗର ପରାଜୟ ବିରାଟ ବିଜୟ !

ଅବୌଦ୍ଧ ମହାତ୍ମା ‘‘ଚିତ୍ର’’, ବୌଦ୍ଧ ଧର୍ମମୟ

ଶିକ୍ଷାଦୀକ୍ଷା ତାହାଙ୍କର, ଏ ଧର୍ମ ଆଶ୍ରିବି

ନିବାରିବି ଜୀବହିଂସା, ଏ ଶୈଳେ ଖୋଳିବି

ଆଗେ-ସ୍ୱସ୍ତି-ସତ୍ୟବାଣୀ ଜନ ଶିକ୍ଷା ପାଇଁ

ଅହିଂସାର ମନ୍ତ୍ରେ ଦେବି ଜଗତ ଜଗାଇ,

ସ୍ୱାର୍ଥ ତେଜି ପରମାର୍ଥ ଭଜିବେ ସକଳେ

ଭୋଗ ନେବ ତ୍ୟାଗଦୀକ୍ଷା, ପ୍ରେମମନ୍ତ୍ର ବଳେ

ଦୁର୍ଦ୍ଦର୍ଷ ଯେ ହେବେ ବଶ,

ମୈତ୍ରୀ ଶିକ୍ଷା ପାଇ,

ମଣିଷ ମଣିଷ ଶତ୍ରୁ ହେବେ ଆଉ ନାହିଁ

ଧରଣୀ ସ୍ପର୍ଦ୍ଧିବ ସ୍ୱର୍ଗେ ! ବନିବେ ଦେବତା

ମାନବ, ହଜିବ ଚିର ଶୋକ, ଦୁଃଖ ବ୍ୟଥା ।

ଚିତ୍ର—କି ଆଲୋକ ! ସ୍ୱରଗ କି ସୁନ୍ଦର ଦିଶଇ !

ଇନ୍ଦ୍ରଧନୁର ତୋରଣ ! ବିଦ୍ୟୁ ଝଟକଇ

ଦେହମୟ ଦେବତାର ! ହସେ ସାରା ଅଙ୍ଗ !

ଯୌବନ-ସାଗରେ ନାଚେ ଲାବଣ୍ୟ-ତରଙ୍ଗ ।

ଲକ୍ଷ ଚାନ୍ଦ ଉଇଁ ଆସେ । ନା, ନା, ଲକ୍ଷ ପରୀ;

ଦୁଇ ଲକ୍ଷ ତାରା, ନା, ନା, ନୟନ ତାଙ୍କରି;

ଘୋଟିଆସେ ମେଘ ! ନା, ନା, ଉଡ଼ଇ କୁନ୍ତଳ;

ଥରଇ ମନ୍ଦାରଦଳ ! ନା, ନା, ରକ୍ତାଧର

ବାଣୀଙ୍କର ରଙ୍ଗଭୂମି ଥରଇ ସେପରି;

ପାରିଜାତମାଳ ଗଳେ ଉର୍ବଶୀ ସୁନ୍ଦରୀ

କି ଉଜ୍ଜ୍ୱଳ ରୂପଛଟା ! ଶତ ଶଶୀ ମିଶି

ଏକାରୂପେ ତେଜେ ଯେହ୍ନ ଯାଏ ଆଗେ ଦିଶି

ନିମେଷ ବିହୀନ ଚକ୍ଷୁ ଦେବଶିଶୁ ଦଳ

ମନ୍ଦାକିନୀ ସ୍ୱଚ୍ଛ ଜଳୁ ସ୍ୱର୍ଣ୍ଣ ଶତଦଳ

ତୋଳନ୍ତି ସନ୍ତରି, ତୀର ପାରିଜାତ କୁଞ୍ଜେ

ସ୍ୱର୍ଗ ପିକ ‘କୁହୁ’ କୁଜେ, ସ୍ୱର୍ଗ ଅଳି ଗୁଞ୍ଜେ

ଏ ଯେ ଆଲୋକର ଯାନ ! ସ୍ୱରଗୁଁ ଖସଇ

ଶତ ଉଲ୍‌କାସମ ତେଜେ, ତେଜି ଯିବ ମହୀ

ଆତ୍ମା ଏହି ଯାନେ ସ୍ୱର୍ଗେ ! ଅଙ୍ଗ ମୋ ଅବଶ

ପଦ୍ମା—ପାଦ ଯେ କାକର ଲାଗେ !

ଶୀମୁକ—ଝରେ ସ୍ୱେଦରସ

କପାଳୁ ଯେ !

ପଦ୍ମା—ଅଙ୍ଗୁଳି ଯେ ଆଉ ନ ଫୁଟଇ

ଶୀମୁକ—ହାତ ବଙ୍କା ହୁଏ ନାହିଁ !

ବୈଦ୍ୟ—ନାଡ଼ୀ ନ ଚାଲଇ !

ଧର୍ମାଶୋକ—କାନ୍ଦନା ଗୁରୁ ଜନନୀ-ଜନନୀ ମୋହର

ପଦ୍ମା—ଅନ୍ଧୁଣୀ ମୁଁ !!!

ଧର୍ମାଶୋକ—ମୁଁ ଅଧମ ସନ୍ତାନ ତୁମର

ଗୁରୁ ବଞ୍ଚେ ଶିଷ୍ୟେ ପରା !

ସର୍ଦ୍ଦାର—କାନ୍ଦନି ଶୀମୁକ

ନିଖିଳ କଳିଙ୍ଗ ଆଜି ପ୍ରକାଶିବ ଦୁଃଖ,

ସନ୍ତାନ ତୁମର-ନୁହେଁ, ସାରା କଳିଙ୍ଗର;

ଧର୍ମାଶୋକ—କଳିଙ୍ଗର, ଭାରତର, ନିଖିଳ ବିଶ୍ୱର !!

ସର୍ଦ୍ଦାର—ବାଣ୍ଟିହେଲେ ଦୁଃଖ ହୁଏ ସହଜ ସହିବା

ବାଳକଗଣ—ଚିତୁଭାଇ !!

ବାଳିକାଗଣ—ଚିତୁଭାଇ !!

ବାଳକଗଣ—ନ ଥିଲେ ସେ କିବା

ଆମର !

ସର୍ଦ୍ଦାର—ମହାତ୍ମା ମୃତ୍ୟୁ ! ଚେତା ଶେଷ ଯାଏ

ଜ୍ୟୋତିଷ—ମାରକ ଦଶାଟା !

ପୁରୋହିତ—କେତୁ ଶାନ୍ତିର ଉପାୟେ

ବୃଥା ହୋମ !

ପଣ୍ଡା—ଶୁଣିଲେନି ଡାକ ମୋ ଠାକୁର !

ସର୍ଦ୍ଦାର—ମନ୍ଦ ଭାଗ୍ୟବେଳେ ଭାଇ, ସର୍ବେ ହୋନ୍ତିକ୍ରୁର !

ଧର୍ମାଶୋକ— ‘‘ଚିତ୍ର’’, ନର ଚିରନ୍ତନ ! ମୃତ୍ୟୁ କି ତାଙ୍କର

ସମ୍ଭବଇ ? ମରଣ ଯେ ମହାତ୍ମା କିଙ୍କର !

କରେ ପ୍ରାତଃସ୍ମରଣୀୟ ଟାଣେ ସର୍ବ ଦୃଷ୍ଟି

‘‘ମହାତ୍ମାଙ୍କ କିବା ଦାନ କିବା ନବ ସୃଷ୍ଟି !’’

ହୃଦୟ-ଖଟୁଲୀ ପରେ ମହାତ୍ମା ଦେବତା

ଧୂଳିର ମାନବ ହୁଏ ରାମ, କୃଷ୍ଣ ଯଥା;

ଦେବତା ପୂଜାରୁ ବଳେ ମାନବ ଅର୍ଚ୍ଚନା

ଦେଉଳେ ଦେବତା ପୂଜା, ହୃଦେ ଆରାଧନା

ମହାତ୍ମାର; ତେଣୁ ‘‘ଚିତ୍ର’’ ମହାତ୍ମା ଅମର !!

ଖିଆଲେ ମୁଁ ବଧିଥାନ୍ତି ଲକ୍ଷ ଲକ୍ଷ ନର

ରାଜଗାଦି ନିରାପଦେ, ବିପ୍ଳବ ଦମାଇ

ଦେଇଥାନ୍ତି ଶତଲକ୍ଷ ଫାଶିରେ ଝୁଲାଇ,

ସାମ୍ରାଜ୍ୟ ବର୍ଦ୍ଧନ ଲାଗି କରି ଦିଗ୍‌ବିଜୟ

କରିଥାନ୍ତି ଲକ୍ଷ ଲକ୍ଷ ପ୍ରିୟ ପ୍ରଜାକ୍ଷୟ !

କି ଅସାଧ୍ୟ ? ଭାରତର ସମ୍ରାଟଙ୍କ କୋପ

ହେଳେ କରିଥାନ୍ତା ଏଥୁଁ ବୌଦ୍ଧଧର୍ମ ଲୋପ !

ଧ୍ୱଂସ-ପଥୁଁ ନିବାରିଲେ ମହାମତି ଚିତ୍ର

ଶିଖାଇଲେ କେହ୍ନେ ନର ବିଶ୍ୱ କରେ ମିତ୍ର ।

ଝଞ୍ଜାକଲେ ମଳୟ ସେ କୁଆଁରୀ ପରଶେ

କରିଲେ ସ୍ୱର୍ଗ ଦେବତା ଦୂରନ୍ତ ରାକ୍ଷସେ ।

ଭୂମିକମ୍ପେ ଦେଖାଇଲେ ବିଶ୍ୱଗଢ଼ା ପଥ;

ଅହିଂସାର ଅଶ୍ୱଯୋଗେ ଯିବ ମନୋରଥ

ବିଶ୍ୱେ ସାର ସଭ୍ୟତାର ପୂର୍ଣ୍ଣତା ଲକ୍ଷ୍ୟରେ

ଚିତ୍ର ପଦ-ଶତଦଳ ଧୂଳି ମସ୍ତକରେ

ଧର୍ମାଶୋକ ବହେ ତେଣୁ ଗର୍ବେ ଗଉରବେ

କାନ୍ଦନା ଶୀମୁକ ଆଜି ଧରଣୀ ଉତ୍ସବେ !

ଦିଗ୍‌ବଳୟେ ହୁଳହୁଳି ପକ୍ଷୀ କଳ ଛଳେ

ଢାଳେ ଦିଗଙ୍ଗନା; ନଦୀ କଲ୍ଲୋଳେ କଲ୍ଲୋଳେ

ଜଳଦଳ ହରିବୋଲ ମୂରଲୀ ବଜାଇ

‘ଶାନ୍ତି’ ‘ଶାନ୍ତି’ ପୁଷ୍ପ କୁଞ୍ଜେ ମଧୂପ ଗୁଞ୍ଜଇ ।

‘ସ୍ୱସ୍ତି’ ‘ସ୍ୱସ୍ତି’ ଉଚ୍ଚସ୍ୱରେ ଘୋଷଇ ପବନ

କି ଭାବ-ଜୁଆରେ ଶୁଣି ହୃଦୟ ମଗନ !

ଭାବ୍ୟବତୀ ମହାବୀର ଜନନୀ କାନ୍ଦନା

ବୀରମାତା ଲୋଡ଼େ କି ଗୋ ଅନ୍ୟର ସାନ୍ତ୍ୱନା ?

ହସି ହସି ଉଇଁ ଆସେ ରବି ଦିଗ ତଳେ

ଆକାଶ ଅବନୀ ବେନି ଚୁମ୍ବନ୍ତି ପ୍ରେମରେ !

କୋଟି କର ମେଲି ଭାନୁ ଆଲିଙ୍ଗେ ବେନିଙ୍କି

ତିନି ମିଶି ଏକ ସୁନା ମୂର୍ତ୍ତି ହୁଅନ୍ତି କି ?

ଅହିଂସା ବିଜୟେ ଅବା ସ୍ୱର୍ଣ୍ଣ ଛତ୍ର ଧରି

ମରତୁ ସ୍ୱରଗେ କେଉଁ ଦେବ ଯାଏ ଚଳି !

ପୁଞ୍ଜିତ ନିଖିଳ ରତ୍ନ ଫୁଟେ କି ସେ ଫୁଲେ ?

ଢଳା ଜ୍ୟୋତି-ଦଳେ ଯା’ର ସାରା ବିଶ୍ୱ ବୁଡ଼େ ।

ଅହିଂସା-ଜେମା ସଙ୍ଗତେ ସୁଖ-ଯୁବରାଜ

ବିବାହ କି ? ରବି-ସୁନା-ଥାଳୀ ଭରା ତେଜ-

ସୁନା ତଣ୍ଡୁଳରେ ସୁନା ପତ୍ରେ ଦୂବ ଦଳେ

ବନ୍ଦାଇବ କିବା ଉଷା ବନ ମରମରେ ।

ହୋମ ଅନଳର ଶିଖା ରକ୍ତ ପଦ୍ମବନ

ଧୂମ ବେଣୀ କଳା ଅଳି ଦଳ ନିର୍ଗମନ ।

ମନ୍ତ୍ର ପଢ଼େ ଚୂତଡ଼ାଳେ ପିକ ପୁରୋହିତ

ଯୋଡ଼ି ନାଗରା ସ୍ୱର କି କୁମ୍ଭାଟୁଆ ଗୀତ ?

ଫୁଲ୍ଲ ଛୁରିଅନା କୁଞ୍ଜେ ହଳଦୀ ବସନ୍ତ

ବଜାଏ ମଧୁ ମୂରଲୀ ତାନପୂରା ଘତ !

ପଦ୍ମରାଗ ରେଣୁ ସମ ଆଶିଷ-କିରଣ

ବୁଣେ ବର କନ୍ୟା ଶିରେ ଉଦାର ଗଗନ ।

ଫୁଟେ ଯହିଁ ତହିଁ ଦିବ୍ୟ ଲାବଣ୍ୟର ଝଳି

ଧରଣୀ କି ଯାଏ ସ୍ୱର୍ଣ୍ଣ ସ୍ୱର୍ଗକୁ ବଦଳି ?

ଶିବିରେ ଚଳିବି ବେନି ଚରଣେ ପ୍ରଣାମ

ଚରଣ ନୁହଇ ଯାହା ବେନି ତୀର୍ଥ ଧାମ !

ତୀର୍ଥ ରଜ ! ଶିବ ଭସ୍ମ !। ବେନି ପଦ ଧୂଳି

ପାପ-ଦୈତ୍ୟ ମୁଣ୍ଡ ଦିଏ ବଜ୍ରେ ଯେହ୍ନେ ଚୁରି !

ବିଦାୟ, ଅଧମେ ବେନି ମନେ ରଖିଥିବ

ପଦ୍ମା ଓ ଶୀମୁକ—ଚିରଜୀବୀ ରଖିଥାନ୍ତୁ ସୁସ୍ଥେ ସଦାଶିବ ।

ଯୁଗଶିଳ୍ପୀ—କ୍ଷତ୍ରିକୁଳ ଚୂଡ଼ାମଣି ମହାତ୍ମା ଚିତ୍ରର

ରକତ ଚରଣେ ତବ ସିନ୍ଦୂର-ସୁନ୍ଦର

ଶୀମୁକର ଶିଳ୍ପଶାଳେ ଧୀରେ ଯାହା ଝରି

ଲାଗିଲାକି ପଦୁଁ ତୁମ ବାହାରିଲା ପରି ?

ପ୍ରତିମା—ସତ୍ୟ-ସତ୍ୟ ଅନୁମାନ ସତ୍ୟ ହେ ତୁମର

ହେରି ଆଜି ଉତ୍କଳର ଦଶା ଆସେ ଜଳ

ନୟନେ ମୋ ଆଷାଢ଼ର ଅସରା ଯେପରି

କର୍ପୂର ଯାଇଛି ଉଡ଼ି କନା ଅଛି ପଡ଼ି !

ନୃପତି ମୁକୁଟ ମଣି ଖାରବେଳ ବୀର

ଦାବାନଳ ଶିଖା ସମ ଗର୍ବେ ଜାତି ଶିର

ତୋଳିଲେ ଯେ ହିମାଚଳୁଁ କୁମାରିକା ଯାକେ

ଅବତରି ଏ ଜାତିକି ମାରିବେ କି ଡାକେ ?

ମର୍ତ୍ତ୍ୟୁ ସ୍ୱର୍ଗେ ସ୍ତମ୍ବ ସମ ରଚିଲେ ଦେଉଳ

ଗିରି ଭ୍ରମେ ରୁଣ୍ଡ ତହିଁ କ୍ଳାନ୍ତ ମେଘ କୁଳ

ବାଇବେ କି ଜାଗରଣ କନକ ଡିଣ୍ଡିମ

ଭୀମ ସମ ମହାବଳୀ ସେ ଅନଙ୍ଗଭୀମ ?

କଳା ଢାଳି ଶିଳା ପରେ କାଳ-ସିନ୍ଧୁ କୂଳେ

ଅମରତ୍ୱ-କଳ୍ପତରୁ ଏକାମ୍ର ଦେଉଳେ

ରୋପିଲେ ଯେ ମହାପ୍ରାଣ ଲଲାଟକେଶରୀ

ବୋଲିବେ କି ଆଉ ଥରେ ‘‘ଜାଗରେ କେଶରୀ’’ ?

କେତେ ଉଚ୍ଚ ସ୍ୱପ୍ନ ଦେଖେ ଓଡ଼ିଆ ପରାଣ

ପାଷାଣେ ନିହାଣ ଗାରେ କଲେ ଯେ ପ୍ରମାଣ

ଚନ୍ଦ୍ରଭାଗା ତୀର କୁଞ୍ଜେ ଲାଙ୍ଗୁଳା ନୃସିଂହ

ବୋଲିବେ କି ଆଉ ଥରେ ‘‘ଜାଗ ବୀର ସିଂହ’’ ?

କାହିଁ ବିସ୍ତାରିତ ରାଜ୍ୟ ଗଙ୍ଗା-ଗୋଦାବରୀ ?

ଇତସ୍ତତଃ ଶରଦର ଛିନ୍ନ ମେଘ ସରି

ବିଚ୍ଛିନ୍ନ ଓଡ଼ିଆ ଜାତି, ତିଳେ ତିଳେ ମରେ

ସଂସ୍କୃତି ବିକୃତ ହୋଇ ବିଚ୍ଛିନ୍ନ ଅଞ୍ଚଳେ ।

ଛିନ୍ନ ମୁଣ୍ଡ ଛିନ୍ନ ପଦ, ଛିନ୍ନ ହସ୍ତ ମାତା

ସ୍ୱତନ୍ତ୍ର ଉତ୍କଳ ନାମେ ଭାଗ୍ୟର ବିଧାତା

ବିଦେଶୀ ଶାସକ ପ୍ରଭୁ ଦେଇଛନ୍ତି କରେ;

ଏକତା ଅଭାବେ ଜାତି ସଭ୍ୟତା ପଥରେ

ଅଗ୍ରସରେ ନାହିଁ ଦ୍ରୁତେ, ବଣିଜ ବୋଇତ

ମରିଛି ବିଦେଶୀ ଚାପେ, ସାଧବର ଗୀତ;

ସାଧବାଣୀ ହୁଳହୁଳି ଆଉ ଶୁଭେ ନାହିଁ

ବନ୍ୟା, ଦୁର୍ଭିକ୍ଷର ସଙ୍ଗେ ଓଡ଼ିଆ ଲଢ଼ାଇ ।

ଜଗତେ ଦରିଦ୍ରତମ ଦେଶ ମଧ୍ୟେ ଗଣ

ଅଧାପଟେ, ଅଧାପିନ୍ଧା; କୁସଂସ୍କାରପଣ

ପଙ୍ଗୁଏ ଜାତିକି କରେ ପକ୍ଷାଘାତଗ୍ରସ୍ତ

କ୍ଳୀବ-ଆତ୍ମା, ବୀରତ୍ୱର ଭଗ୍ନ ବଜ୍ରଦନ୍ତ ।

ଜମାଟିଛି ଅଜ୍ଞାନତା-ଅନ୍ଧାର ଦେଶରେ

ରୋଗବ୍ୟାଧି ଧ୍ୱଂସେ ଜାତି ।

ଯୁଗଶିଳ୍ପୀ—ସାରା ଭାରତରେ

କି ଅଧିକ ଜାଗରଣ ?

ପ୍ରତିମା—ଅତୀବ ଗୌରବ

ଉଦ୍ଧାର ପାଇଁ କି ହୁଏ ଚେଷ୍ଟା ନବ ନବ

ଗତିରେ ଶକ୍ତି ପ୍ରକାଶ, ଚେଷ୍ଟାରେ ଜୀବନ

ଦେଶସାରା ସତ୍ୟାଗ୍ରହ ଶୁଭ ଆନ୍ଦୋଳନ

ଜୁଆର ଖେଳଇ, ଉଡ଼େ ତ୍ରିରଙ୍ଗ କେତନ

ପଲ୍ଲୀ ସୁଶ୍ୟାମଳ କୋଳେ ‘ଗଣ’ ଜାଗରଣ ।

ଭାରତୀୟ ନ ଡରଇ କୋରଡ଼ା ବା କଡ଼ି

ସାମ୍ରାଜ୍ୟବାଦର ଲାଠିମାଡ଼ ଚଡ଼ଚଡ଼ି ।

ଗୁଳିକି ପତାଏ ଛାତି, ଯେହ୍ନେ କିଏ ତାରା

ଗୁନ୍ଥିଗଳେ ଲମ୍ବାଏ କି ସ୍ନେହଭରେ ହାରା ?

କାରାଗାର ନେତାଙ୍କର ସାଧନାସଦନ

ଆନ ଦଣ୍ଡ ଡରେ କେ ଯେ ନ ଡରେ ମରଣ ।

ସେହି ଆନ୍ଦୋଳନ ଢେଉ ସକଳ ପ୍ରଦେଶେ,

ଉତ୍କଳମଣିଙ୍କ ଦେଶେ ଅହିଂସାର ବେଶେ

‘‘ଡାକେ ଦ୍ୱାରେ ବୀରସିଂହ ଭାଙ୍ଗରେ ଶୃଙ୍ଖଳ

ସ୍ୱାଧୀନତା ଜନ୍ମଗତ ଦାବୀ ସକଳର’’ ।

ମହର୍ଷି ମହାତ୍ମାଗାନ୍ଧୀ ସରଳ ସୁନ୍ଦର

ସ୍ୱାର୍ଥ ବଳିଦାନେ ଯା’ଙ୍କ ନାହିଁ ପଟାନ୍ତର ।

ଅହିଂସା ସାଧକ ବୀର ସତ୍ୟ ମୂର୍ତ୍ତିମାନ

ଭାସ୍କର ଭାସ୍ୱର ତେଜେ ଭାରତ ସମ୍ମାନ ।

ରକ୍ଷା ଲାଗି ଲଢ଼ୁଛନ୍ତି ଭାରତ-ଗୌରବ

ମାନବେ ସଂପୂର୍ଣ୍ଣ ସାରା ଜଗତର ଗର୍ବ ।

ଅନଳତେଜସ୍ୱୀ ଚିର କର୍ମଠ ଉଦାର

ମୋତିଲାଲ ସିଂହପୁତ୍ର ଜବହରଲାଲ,

ଗଣତନ୍ତ୍ର ଶ୍ରେଷ୍ଠ ଭକ୍ତ ସାମ୍ୟର ସନ୍ତାନ

ପ୍ରାଚ୍ୟ ପାଶ୍ଚାତ୍ୟ ସଭ୍ୟତା ଯେହ୍ନେ ମୂର୍ତ୍ତିମାନ !

ନାତ୍‌ସି ଧୂମକେତୁ ସେ ଯେ ଫାସିଷ୍ଟ ଚଡ଼କ

ସାମ୍ରାଜ୍ୟବାଦ-ଜମାଟ୍ ଅନ୍ଧାର ନାଶକ

ଲଢ଼ୁଛନ୍ତି ଭାରତର ସ୍ୱାଧୀନତା ପାଇଁ

ଅତୀତ ଗୌରବ ଆସେ ଭାରତେ ଓହ୍ଲାଇ ।

ଗଲା ଏକ ମହାଯୁଦ୍ଧ, ଏ ମହା ସମର

ପାଶ୍ଚାତ୍ୟ ସଭ୍ୟତା ପରେ ତୋଳିବ କବର ।

ଜାଗିଛି ରୁଷିଆ, ଜାଗେ ଚୀନ୍ ଓ ଭାରତ

ସାମ୍ୟଧର୍ମେ ଜଗାଇବେ ନିଖିଳ ଜଗତ ।

ଧନୀକ ଶୋଷଣ ନୀତି, ଦରିଦ୍ର ଲୁଣ୍ଠନ

ହେବ ଅତୀତର କଥା, ଲେନିନଙ୍କ ଧର୍ମ

ଗାନ୍ଧୀଙ୍କ ଧରମେ ମିଶି ପୂର୍ଣ୍ଣତା ଲକ୍ଷ୍ୟରେ

ନିତ୍ୟ ସତ୍ୟ ସଭ୍ୟତାର କନକ ରଥରେ

ନେବ ଏ ମାନବ ଜାତି, ବିରାଜିବ ଶାନ୍ତି

ବୁଝିବ ପାଶ୍ଚାତ୍ୟ ତାର ସଭ୍ୟତାର ଭ୍ରାନ୍ତି ।

ଭାରତର ନୈତିକତା, ଈଶ୍ୱର ବିଶ୍ୱାସ

ପରଲୋକ ଲାଗି ଇହତ୍ୟାଗ ସତ୍‌ସାହସ

ପାଶ୍ଚାତ୍ୟ ପାର୍ଥିବବାଦ ସଙ୍ଗେ ମିଳିଯିବ

ବେନିର ମିଳନେ ଶଙ୍ଖ ବଜାଇବେ ଶିବ !

ମାନବ ଉନ୍ନତି ଲାଗି ବେନି ଶୁଭଦାୟୀ;

ଯାପିବ ଜୀବନ ଏକ ସମୂହର ପାଇଁ

ବିଶ୍ୱ-ପରିବାରେ ହେବେ ଭଗବାନ-ପିତା

ଦେଶେ ଦେଶେ ହେବ ଚର୍ଚ୍ଚା ଭଗବତ ଗୀତା

ଘେନ ଜଡ଼ ପ୍ରତିମାର ଭବିଷ୍ୟତ ବାଣୀ

ଏ ଗହ୍ୱରେ ଦିବ୍ୟବଳେ ସବୁ ପାରେ ଜାଣି ।

ଯୁଗଶିଳ୍ପୀ—ଉତ୍କଳର ଭବିଷ୍ୟତ ?

ପ୍ରତିମା-ଦିଶେ ରଶ୍ମିମୟ

ଜନମିବେ ଏ ପ୍ରଦେଶେ ବୀର ପୁତ୍ରଚୟ ।

ଚଳିବ ବାଷ୍ପୀୟ ପୋତ ସୁନୀଳ ସାଗରେ

ଜଗନ୍ନାଥ ଛବି ଥିବ ଅଙ୍କା କେତନରେ ।

ଗୃହେ ଗୃହେ ସ୍ୱର୍ଣରୂପେ ଲକ୍ଷ୍ମୀ ବିଳସିବେ

ଦୁର୍ଭିକ୍ଷ, ଦାରିଦ୍ର୍ୟ; ବନ୍ୟା ସହିତ ମରିବେ ।

ବିରାଜିବେ ଭଗବାନ ବିଜ୍ଞାନ ସଙ୍ଗରେ,

ଅତୀତ ସଭ୍ୟତା ଫୁଲ ଗୃହ ଅଙ୍ଗନରେ

କାନ୍ଥ କବାଟରେ ଚିତା ମୁରୁଜେ ଘରଣୀ

ଆଙ୍କିବେ ଅଧିକ ସ୍ନେହେ ସହାସ୍ୟବଦନୀ ।

ବୈଜ୍ଞାନିକ ପ୍ରେକ୍ଷାଗାରେ, କବି ସ୍ୱକୁଟୀରେ

ଅଧ୍ୟାପକ ବିଦ୍ୟାଳୟେ, ସୈନିକ ଶିବିରେ

ଗବେଷଣା ନିକେତନେ ସାଧିବେ ପଣ୍ଡିତ

ଜାଗିବ ଉତ୍କଳ କରି ଜଗତ ଚକିତ ।

ଡୁଡ଼ୁମା ବିଜୁଳି ରଶ୍ମି ଉଜ୍ଜ୍ୱଳିବ ପଲ୍ଲୀ

ପଙ୍ଖାତଳେ ବିଳସିବେ କୃଷକ ସୁନ୍ଦରୀ ।

ଜଳ ଗଦ ଗଦ ନାଦେ ମାଦଳ ବଜାଇ

ଇନ୍ଦ୍ରଧନୁ ମାଳେ ସାନ୍ଧ୍ର ନୀଳକାଶ ଛାଇ

ପୂଜିବେ ପ୍ରଧାନ-ପାଟ, ବାଗ୍ରା, ଖଣ୍ଡାଧାର

ବିଜୁଳି-ଆଳତୀ ତୋଳି ଉତ୍କଳ ବିଶାଳ ।

ଚାରୁ ମରକତ ପଥେ ପଦ୍ମରାଗ ଖରା

ଖେଳୁଥିବେ ଶିଶୁ ଘେନି ରତନ ପସରା

ସୁସ୍ଥ ହାସ କଳ ରୋଳେ ପଲ୍ଲୀ ପୁଲକାଇ;

ପେଶଳ ବିପୁଳ ଅଙ୍ଗେ ଧରିତ୍ରୀ ଥରାଇ

ଚାଲୁଥିବେ ବୀରମଣି ଉତ୍କଳ ଯୁବକ

ଝକୁଥିବ ମୁଖ ଆଶା ବିଶ୍ୱାସ ବ୍ୟଞ୍ଜକ

ବୃଷଭ ଗର୍ଜ୍ଜନ ସମ ଛୁଟୁଥିବ ବାଣୀ

ଶୋଭୁଥିବ ଗିରିଶୃଙ୍ଗ ମୁଖେ ସିଂହ ଠାଣି,

ସେ ମସ୍ତିଷ୍କ କରୁଥିବ ଶତ ଉଦ୍ଭାବନ

ସେ କର କରିବ ସର୍ବ ଅସାଧ୍ୟ କରମ ।

ଗୃହ-ଖୋର ଅପବାଦ ଯିବ ଅପସରି

ବିଶ୍ୱେ ଯହିଁ ତହିଁ ବାସ ରଚିବେ ଉତ୍କଳୀ ।

ଜିଉ ମାରୁଆଡ଼ି କିଛି ଜିଣିବେ ବଣିଜେ

ଧନଶାଳୀ ହେବେ ଖୋଳି ବିବିଧ ଖଣିଜେ ।

ଅଚଞ୍ଚଳା ହେବେ ଚିର ଚଞ୍ଚଳା ସୁନ୍ଦରୀ

ଉତ୍କଳେ ମେଣ୍ଟିବ ଲକ୍ଷ୍ମୀ ସରସ୍ୱତୀ କଳି ।

ପ୍ରତିଭା ମଣ୍ଡିବ ଦେବୀ ପ୍ରତିମାର ସ୍ଥାନ

କବି, ଶିଳ୍ପୀ, ବୈଜ୍ଞାନିକ ହେବେ ଭାଗ୍ୟବାନ ।

ଭାରତ ସ୍ଥାପତ୍ୟ, କଳା ସାହିତ୍ୟ ପୀଠରେ

ଝଳିବ ଉତ୍କଳ ନାମ ସୁବର୍ଣ୍ଣ ଅକ୍ଷରେ ।

ବିଶ୍ୱ ସଂସ୍କୃତି-ପୁସ୍ତକେ ସ୍ୱତନ୍ତ୍ର ଅଧ୍ୟାୟ

ଖୋଲିବ ଉତ୍କଳ ଯେଣୁ ସ୍ୱାତନ୍ତ୍ର୍ୟ ବଜାୟ

ରଖିବ ସେ ଭାରତୀୟ ସଂସ୍କୃତି ଅଧୀନ ।

ଯୁଗଶିଳ୍ପୀ—ଆନନ୍ଦେ ଭାସଇ ମନ ଭାବି ସେ ସୁଦିନ !

ପ୍ରତିମା—ସଂକେତ ଦିଶଇ ନବ ବିଶ୍ୱ ବିଦ୍ୟାଳୟେ

ମଧୁମାସ ଆଗମନ ମାଘର ମଳୟେ !

ଅତୀତ ଉଜ୍ଜ୍ୱଳ ଯା’ର ଭବିଷ୍ୟ ଉଜ୍ଜ୍ୱଳ

ଉଠିଥିଲା ଯେଉଁ ଜାତି ଉଠିବ ନିକର ।

ମଧୁସୂଦନଙ୍କ ଜାତି ହୋଇବ ମହାନ

ଯୁଗଶିଳ୍ପୀ—ଅମୃତ ବର୍ଷନ୍ତୁ ତବ ମୁଖେ ଭଗବାନ ।

ପ୍ରତିମା—ମଳିନ ହେଲାଣି କ୍ରମେ ସପ୍ତର୍ଷି ମଣ୍ଡଳ

ଅଦୃଶ୍ୟ ହେଲାଣି ଛାୟାପଥ ରଜତର

ପ୍ରଭାତୀ ମଣ୍ଡଇ ମଧ୍ୟ ଗଗନ ନୀଳିମା

ଦିଗ୍‌ବଳୟେ କମଳର ମୃଦୁ ପାଟଲିମା

କ୍ରମେ ଘନତର ରକ୍ତ ରଙ୍ଗେ ପରିଣତ

ମର୍ମ୍ମର-ମୁଖର ସୃଷ୍ଟି ଅତୀବ ଜୀବନ୍ତ

ଜୀବନ୍ତ ମୁଁ ହେବି ଜଡ଼ ପାହିଆସେ ରାତି

ଘେନ ଶୁଭାଶିଷ ମୋର ତୋଳ ବୀର ଜାତି ।

ଯୁଗଶିଳ୍ପୀ—ଭାର୍ଗବୀର ନୀଳ ନୀର ଭେଦି ଉଠେ ରବି

ନାରିକେଳ ପତ୍ରେ ପତ୍ରେ ଶତ ରତ୍ନ ଛବି ।

ଧାନ ଖେତେ ବହେ ରକ୍ତ ରଶ୍ମିର ଜୁଆର

ଶିଷା ଶିରେ ଚନ୍ଦ୍ରକିତ ଶିଶିର ସମ୍ଭାର ।

ପାତଳ କୁହେଳୀ ପରେ ରକ୍ତ କର ଝରି

ପ୍ରାନ୍ତରେ ଗୋଲାପରେଣୁ ବିଞ୍ଚି ହେଲା ପରି

ଦିଶେ, ପ୍ରତିମାର ଅଙ୍ଗ କ୍ରମେ ଜଡ଼ତର

କରଇ ଆଲୋକ ପାତ, ମଧୁର କଣ୍ଠର

ଓଜସ୍ୱିନୀ ଭାଷା କାହିଁ ଗଲାଣି ମିଳାଇ

ଅନ୍ତରେ ମୋ ପ୍ରତିଧ୍ୱନି ସହସ୍ର ଜଗାଇ ।

ପ୍ରତିମା ! ପ୍ରତିମା ! ଏବେ ଧଉଳି ! ଧଉଳି !

କାହାନ୍ତି ଅଶୋକ ? ଚିତ୍ର । କ୍ଷତ୍ରିୟ-ମଉଳି ?

ଶାନ୍ତି-ସ୍ୱସ୍ତି ସତ୍ୟ ଝଳେ ବନ୍ଧୁର ବକ୍ଷରେ

ଧଉଳି ଡାକଇ ବିଶ୍ୱେ ବିଶ୍ୱ ପ୍ରେମ ସ୍ୱରେ ।

ଦୀର୍ଘ ରାତି ନେଲା କାଟି କ୍ଳାନ୍ତି ମୁଁ ନ ଜାଣେ

ମହା ବୀରତ୍ୱର ମନ୍ତ୍ର ଶାଣି ମୋ ପରାଣେ

ଉଦ୍ଦୀପନାମୟ ଗଳ୍ପେ, ଚଳ ଚିତ୍ର ସମ

ଚିତ୍ର ଗାଥା ହରିଥିଲା ମନ ପ୍ରାଣ ମମ ।

ଏ କି ମାୟା ? ଏ କି ସ୍ୱପ୍ନ ? କବିର ସ୍ୱପନ

ସତ୍ୟରୁ ଅଧିକ ସତ୍ୟ ଜୀବନ୍ତ ଲାବଣ୍ୟ

ଶୁଭରୁ ଅଧିକ ଶୁଭ ବିଶ୍ୱ ଚରାଚର

ସମ ଶିଳ୍ପୀ ସ୍ୱପ୍ନ ସତ୍ୟ ଶିବ ଓ ସୁନ୍ଦର

କବି ସ୍ରଷ୍ଟା ସୃଷ୍ଟିକର୍ତ୍ତା ପାଶେ ବସେ ତେଣୁ

ବାଇ ଅନନ୍ତ ରହସ୍ୟ ଶୋଭା ଶୁଭ-ବେଣୁ ।

ନବୀନ ଜୀବନେ ଆଜି ପୋଷି ସ୍ୱର୍ଣ୍ଣ ଆଶା

ପ୍ରତିମା, ବିଦାୟ ମାଗେଁ ! କଳକଣ୍ଠ ଭାଷା

ଫଳାଇବି କର୍ମ୍ମେ କର୍ମ୍ମେ ସାଧନା ଜୀବନେ

ଆତ୍ମବଳି ଦେବି ମମ ଜାତି ଜାଗରଣେ ।